ଭାବନୀପାଟଣା: ଠିକା କ୍ୟାମ୍ପରେ ଭୟଙ୍କର ଅଗ୍ନିକାଣ୍ଡ । ଶ୍ରମିକ ସୋଇଥିବା ସମୟରେ ଲାଗିଲା ନିଆଁ । ନିଆଁର ପ୍ରଖରରେ ଜିଅନ୍ତା ଜଳିଗଲେ ଶ୍ରମିକ । କଳାହାଣ୍ଡି ଜିଲ୍ଲା ଭବାନୀପାଟଣା ସଦର ଥାନା ଅନ୍ତର୍ଗତ ପାଷ୍ଟିକୁଡି ଗ୍ରାମରେ ଏଭଳି ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି । ଘଟଣାସ୍ଥଳରେ ଅଗ୍ନିଶମ ବିଭାଗ ପହଞ୍ଚି ନିଆକୁ ଆୟତ୍ତ କରିଛି । ତେବେ ଅଗ୍ନିକାଣ୍ଡର କାରଣ ଅସ୍ପଷ୍ଟ ରହିଛି ।
ଏହା ମଧ୍ୟ ପଢ଼ନ୍ତୁ: Naba Das Murder Mystery: ବିଧାୟକ ସୁଶାନ୍ତ ସିଂଙ୍କୁ ତଦନ୍ତ ପରିସରଭୁକ୍ତ କରାଯାଉ: କଂଗ୍ରେସ ବିଧାୟକ
ପୋଲିସ ସୂଚନା ଅନୁଯାୟୀ, ମୃତକ ଜଣକ ହେଉଛନ୍ତି ପାଷ୍ଟିକୁଡି ଗ୍ରାମର ପ୍ରଦୀପ କେତକୀ । ମାଣିଙ୍ଗ ପଦରରୁ ଦେପୁରକୁ ସଂଯୋଗ କରୁଥିବା ରାସ୍ତା କାମରେ ଦିନ ମଜୁରିଆ ଭାବରେ କାମ କରିବା ସହ ଠିକା କ୍ୟାମ୍ପର ଦେଖାଶୁଣା କରୁଥିଲେ । ପ୍ରତ୍ୟେକ ଦିନ ଭଳି ସୋମବାର ମଧ୍ୟ ସେ ଦିନ ତମାମ ରାସ୍ତା କାମ କରିସାରି ଠିକା କ୍ୟାମ୍ପରେ ଶୋଇଥିଲେ । ଏହି ସମୟରେ କୌଣସି କାରଣରୁ ହଠାତ କ୍ୟାମ୍ପରେ ନିଆଁ ଲାଗି ଯାଇଥିଲା । ବାହାରେ ଥିବା ସାଥି ଶ୍ରମିକ ଦେଖିଲା ବେଳକୁ ଭିତରେ ଥିବା ଶ୍ରମିକ ପ୍ରଦୀପ କେତକୀ ଜୀବନ୍ତ ଦଗ୍ଧ ହୋଇ ଯାଇଥିଲେ । ସାଥି ଶ୍ରମିକ ତାଙ୍କୁ ବଞ୍ଚାଇବାକୁ ଉଦ୍ୟମ କରିଥିଲେ ମଧ୍ୟ ନିଆଁର ପ୍ରଖର ଯୋଗୁଁ ବିଫଳ ହୋଇଥିଲେ ।
ଏହା ମଧ୍ୟ ପଢ଼ନ୍ତୁ: ଭୁବନେଶ୍ବର ଗସ୍ତରେ ଅନ୍ୟ ରାଜ୍ୟର ୬ ପ୍ରଶାସନିକ ଅଧିକାରୀ, ଜାଗା ମିଶନ ଯୋଜନାର କଲେ ପରିଦର୍ଶନ
ଖବର ପାଇ ଘଟଣାସ୍ଥଳରେ ଅଗ୍ନିଶମ ବିଭାଗ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲେ ମଧ୍ୟ ଶ୍ରମିକଙ୍କୁ ବଞ୍ଚାଇ ପାରିନଥିଲା । ଏନେଇ ଶ୍ରମିକମାନେ ପୋଲିସକୁ ଜଣାଇବା ପରେ ଘଟଣାସ୍ଥଳରେ ସଦର ଥାନା ପୋଲିସ ପହଞ୍ଚି ମୃତଦେହ ଉଦ୍ଧାର କରିବା ସହ ବ୍ୟବଚ୍ଛେଦ ପାଇଁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ପଠାଯାଇଥିଲା । ଏହି ଘଟଣା ନେଇ ଏକ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି ପୋଲିସ । ସେପଟେ କେଉଁ କାରଣରୁ କ୍ୟାମ୍ପରେ ନିଆଁ ଲାଗିଲା ତାହା ବର୍ତ୍ତମାନ ସୁଦ୍ଧା ସ୍ପଷ୍ଟ ହୋଇପାରି ନଥିବା ଅଗ୍ନିଶମ ବିଭାଗ ସୂଚନା ଦେଇଛି । ପୋଲିସ ପକ୍ଷରୁ ମୃତ ଶ୍ରମିକଙ୍କ ପରିବାରକୁ ଖବର ଦିଆଯାଇଛି । ପରିବାରର ଏକ ମାତ୍ର ରୋଜଗାରକ୍ଷମ ବ୍ୟକ୍ତି ଥିଲେ ପ୍ରଦୀପ । ତାଙ୍କ ମୃତୁ ପରେ ପରିବାର ଅସହାୟ ହୋଇ ପଡ଼ିଥିବା ଜଣାପଡିଛି । ଏହି ଘଟଣା ନେଇ ଉକ୍ତ ଅଞ୍ଚଳରେ ଶୋକର ଛାୟା ଖେଳି ଯାଇଛି ।
ଇଟିଭି ଭାରତ, କଳାହାଣ୍ଡି