ଭବାନୀପାଟଣା: ଅଶୁଭ ଶୁକ୍ରବାର ଅକାରଣେ ଚାଲିଗଲା ୩ ଜୀବନ । ଶୁକ୍ରବାର କଳାହାଣ୍ଡି ଜିଲ୍ଲାର ବିଭିନ୍ନ ସ୍ଥାନରେ ପୃଥକ ପୃଥକ ଅଘଟଣ ଘଟିଛି । ଗୋଟିଏ ଦିନରେ ଝଡି ପଡିଲା ୩ ଜୀବନ । ଜିଲ୍ଲାର ଧର୍ମଗଡ଼ ଥାନା ଅନ୍ତର୍ଗତ ମୁଖୀଗୁଡା ଗ୍ରାମ ନିକଟ ଚାଷ ଜମିରୁ ଗଳିତ ମୃତଦେହ ଉଦ୍ଧାର କରିଛି ପୋଲିସ ।
ସୂଚନା ଅନୁଯାୟୀ ମୁଖୀଗୁଡା ଗ୍ରାମ ନିକଟସ୍ଥ ଚାଷ ଜମିରେ ଜଣେ ବ୍ୟକ୍ତିଙ୍କ ମୃତଦେହ ଦେଖି ଲୋକେ ପୋଲିସକୁ ଖବର ଦେଇଥିଲେ। ଘଟଣା ସ୍ଥଳରେ ଧର୍ମଗଡ଼ ଥାନା ପୋଲିସ ପହଞ୍ଚି ମୃତଦେହ ଉଦ୍ଧାର କରିଥିବା ବେଳେ ମୃତ ଯୁବକ ଜଣକ ସେହି ଗ୍ରାମର ପୀତବାସ ଦୁର୍ଗା ବୋଲି ଜଣାପଡିଛି । ମୃତଦେହ ବ୍ୟବଚ୍ଛେଦ ପରେ ପରିବାର ବର୍ଗଙ୍କୁ ହସ୍ତାନ୍ତର କରାଯାଇଛି । ତେବେ ମୃତ୍ୟୁର କାରଣ ସ୍ପଷ୍ଟ ହୋଇନଥିବାବେଳେ ପୋଲିସ ଘଟଣାର ତଦନ୍ତ କରୁଛି। ସେପଟେ କେସିଙ୍ଗା ଥାନା ଅନ୍ତର୍ଗତ ମାଲ ପଡ଼ାରେ ଜଣେ ଯୁବକଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର କରିଛି ପୋଲିସ। ମାଲପଡା ଗ୍ରାମ ରାସ୍ତା କଡରେ ଥିବା ଏକ ଗଛରେ ଝୁଲନ୍ତା ମୃତଦେହ ଲୋକେ ଦେଖିବାକୁ ପାଇଥିଲେ।
ଏହା ମଧ୍ୟ ପଢ଼ନ୍ତୁ: କଳାହାଣ୍ଡିରେ ବ୍ୟାପୁଛି ଝାଡ଼ାବାନ୍ତି, ପୁଣି ଜଣଙ୍କର ମୃତ୍ୟୁ
ଖବର ପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହ ଉଦ୍ଧାର କରିଥିଲା । ମୃତ ଯୁବକ ଜଣକ ପଥର୍ଲା ଗ୍ରାମର କିଶନ ବାଗ ବୋଲି ଜଣାପଡିଛି । ତେବେ ପରିବାର ଲୋକେ ହତ୍ୟାକାଣ୍ଡ ଅଭିଯୋଗ କରିବା ପରେ ପୋଲିସ ଏନେଇ ଏକ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି ।
ସେହିପରି ଜିଲ୍ଲାର ନର୍ଲା ଥାନା ଅନ୍ତର୍ଗତ ଲାଞ୍ଜିଗଡ଼ ରୋଡ଼ ରେଳ ଷ୍ଟେସନ ନିକଟରେ ଝୁଲନ୍ତା ମୃତଦେହ ଉଦ୍ଧାର ହୋଇଛି । ଲାଞ୍ଜିଗଡ଼ ରୋଡ଼ ରେଳ ଷ୍ଟେସନ ନିକଟରେ କିଛି ଯାତ୍ରୀ ଝୁଲନ୍ତା ମୃତଦେହ ଦେଖିବାକୁ ପାଇଥିଲେ। ପରେ ପୋଲିସ ଖବର ପାଇ ଘଟଣାସ୍ଥଳରେ ପହଞ୍ଚି ମୃତଦେହ ଉଦ୍ଧାର କରିଥିଲା । ବର୍ତ୍ତମାନ ସୁଦ୍ଧା ମୃତ ଯୁବକଙ୍କ ପରିଚୟ ମିଳି ପାରିନଥିବା ପୋଲିସ ସୂଚନା ଦେଇଛି । ସମସ୍ତ ଘଟଣାକୁ ନେଇ ପୃଥକ ପୃଥକ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି କଳାହାଣ୍ଡି ପୋଲିସ ।
ଇଟିଭି ଭାରତ, କଳାହାଣ୍ଡି