ଭବାନୀପାଟଣା: ଅଧାରେ ରହିଲା ଘର ବାହୁଡା । କେତେ ଖୁସିର ସହ ବାହାରିଥିଲେ ବାହାଘର ଭୋଜି ଖାଇବାକୁ । ଆଉ ବାହାଘରରେ ମଜା ନେଇ ଖୁସିରେ ଘରକୁ ମଧ୍ୟ ଫେରୁଥିଲେ । ହେଲେ ଅଧାବାଟରେ ଜଗିଥିଲା ଜମ । ଭୋଜି ଖାଇ ଫେରୁଥିବା ବେଳେ ବାଇକକୁ ଧକ୍କା ଦେଲେ ହାଇଓ୍ବା । ଫଳରେ ଘଟଣାସ୍ଥଳରେ ଜଣଙ୍କର ମୃତ୍ୟୁ ହୋଇଥିବା ଚିକିତ୍ସାଧୀନ ଅବସ୍ଥାରେ ଦୁଇ ଜଣଙ୍କ ମୃତ୍ୟୁ ହୋଇଥିବା ସୂଚନା । ଗତକାଲି(ଶୁକ୍ରବାର) କଳାହାଣ୍ଡି ଜିଲ୍ଲା ଭବାନୀପାଟଣା ସଦର ଥାନା ଅନ୍ତର୍ଗତ ସାପସିଲେଟ ଛକରେ ଏହି ଦୁର୍ଘଟଣା ହୋଇଥିଲା । ସେପଟେ କ୍ଷତିପୂରଣ ଦାବିରେ ସ୍ଥାନୀୟ ଲୋକେ ରାସ୍ତାରେ ମୃତଦେହ ରଖି ରାଜ୍ୟ ରାଜପଥ ଅବରୋଧ କରିଥିବା ବେଳେ ଘଟଣାସ୍ଥଳରେ ଉତ୍ତେଜନା ଲାଗି ରହିଥିଲା ।
ସୂଚନା ଅନୁଯାୟୀ, ବଲାଙ୍ଗୀର ଜିଲ୍ଲା ଟିଟିଲାଗଡ ଥାନା ଅନ୍ତର୍ଗତ କୁମୁଡାସିଲ ଗାଁର ଫଗୁନୁ ବଗର୍ତ୍ତି, ଧର୍ମେନ୍ଦ୍ର ବଗର୍ତ୍ତି ଓ ଅମର ବଗର୍ତ୍ତି ୩ ଜଣ ନିଜ ସମ୍ପର୍କୀୟଙ୍କ ବିବାହ ଭୋଜିରେ ଯୋଗ ଦେବା ପାଇଁ କଳାହାଣ୍ଡି ଜିଲ୍ଲା ଭବାନୀପାଟଣା ସଦର ଥାନା ଅନ୍ତର୍ଗତ ସାପସିଲେଟ ଗାଁକୁ ଆସିଥିଲେ । ସେଠାରେ ଭୋଜିରେ ସାମିଲ ହୋଇ ସନ୍ଧ୍ୟାରେ ନିଜ ଗାଁ କୁମୁଡାସିଲକୁ ଫେରୁଥିଲେ । ଏହି ସମୟରେ ସାପସିଲେଟ ଛକ ନିକଟରେ ସାମ୍ନାପଟୁ ଆସୁଥିବା ଏକ ହାଇଓ୍ବା ତାଙ୍କ ଉପରେ ମାଡି ଯାଇଥିଲା । ଫଳରେ ଘଟଣା ସ୍ଥଳରେ ବାଇକ ଚାଳକ ଫଗନୁ ମାଝୀଙ୍କ ମୃତ୍ୟୁ ହୋଇଥିବା ବେଳେ ଅନ୍ୟ ଦୁଇଜଣଙ୍କ ଅବସ୍ଥା ଗୁରୁତର ହୋଇଥିଲା । ତେବେ ସ୍ଥାନୀୟ ଲୋକେ ଘଟଣାସ୍ଥଳରେ ପହଞ୍ଚି ତାଙ୍କୁ ଉଦ୍ଧାର କରି ଭବାନୀପାଟଣାଠାରେ ଥିବା ଜିଲ୍ଲା ମୁଖ୍ୟମନ୍ତ୍ରୀ ଚିକିତ୍ସାଳୟରେ ଭର୍ତ୍ତି କରିଥିଲେ । ତେବେ ଚିକିତ୍ସାଧୀନ ଅବସ୍ଥାରେ ଉଭୟଙ୍କ ମୃତ୍ୟୁ ଘଟିଛି ।