କଳାହାଣ୍ଡି: ଜାନୁଆରୀ ୧୪ ତାରିଖଠାରୁ ୧୭ ତାରିଖ ପର୍ଯ୍ୟନ୍ତ ୪ ଦିନ ଧରି କଳାହାଣ୍ଡି ମହୋତ୍ସବ ଘୁମୁରା ୨୦୨୩ ଅନୁଷ୍ଠିତ ହେବ । ଏନେଇ ଜିଲ୍ଲାପାଳଙ୍କ ଅଧ୍ୟକ୍ଷତାରେ ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି । ବିଗତ ଦୁଇବର୍ଷ କୋଭିଡ କଟକଣା ଯୋଗୁଁ ବନ୍ଦ ରହିଥିଲା କଳାହାଣ୍ଡି ମହୋତ୍ସବ ଘୁମୁରା । ହେଲେ ଚଳିତ ବର୍ଷ କଟକଣା ମୁକ୍ତ ହେବା ପରେ କଳାହାଣ୍ଡି ମହୋତ୍ସବର ରଜତ ଜୟନ୍ତୀ ପାଳିତ ହେବ । ଯାହାର ପ୍ରସ୍ତୁତି ଆରମ୍ଭ କରିଛି କଳାହାଣ୍ଡି ଜିଲ୍ଲା ପ୍ରଶାସନ ।
ଦୀର୍ଘ ଦୁଇବର୍ଷ ପରେ କଳାହାଣ୍ଡି ମହୋତ୍ସବ ଘୁମୁରା ୨୦୨୩ରେ ରଜତ ଜୟନ୍ତୀ ପଳାନ କରାଯିବ । ଯାହାକୁ ନେଇ ଏବେଠୁ ସମସ୍ତଙ୍କ ମନରେ ଉତ୍ସାହ ଦେଖା ଦେଇଛି । ଏନେଇ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି । ରାଜ୍ୟ ତଥା ରାଜ୍ୟ ବାହାରର ଅନେକ କଳା ସଂସ୍କୃତି ଏଠାରେ ପ୍ରଦର୍ଶିତ ହେବା ସହ ବିଭିନ୍ନ ଜିଲ୍ଲା ଓ ରାଜ୍ୟର ଅନେକ ବ୍ୟବସାୟୀ ଏଠାକୁ ଛୁଟି ଆସିବେ । ପୁଣି ଥରେ କଳା ସଂସ୍କୃତି ଓ ପରମ୍ପରା ସହ କଳାକାର ଓ ବ୍ୟବସାୟୀଙ୍କର ହେବ ମହା ମିଳନ । ଝୁମିବେ ଦର୍ଶକ ଆଉ ଦୁଲୁକିବ ରେଣ୍ଡୋ ମାଝୀ ମଞ୍ଚ ।
ଆସନ୍ତା ଡିସେମ୍ବର ୬ ତାରିଖଠାରୁ ପ୍ରଥମେ ପଞ୍ଚାୟତ ସ୍ଥରୀୟ କଳାହାଣ୍ଡି ମହୋତ୍ସବ ଅନୁଷ୍ଠିତ ହେବ । ଏହାପରେ ଜାନୁଆରୀ ୧୪ ତାରିଖଠାରୁ ୧୭ ତାରିଖ ପର୍ଯ୍ୟନ୍ତ ୪ ଦିନ ଧରି ଜିଲ୍ଲା ସ୍ଥରୀୟ କଳାହାଣ୍ଡି ମହୋତ୍ସବ ଘୁମୁରା ୨୦୨୩ ଆୟୋଜନ ହେବ । ଜିଲ୍ଲାପାଳ ପି. ଅନ୍ୱେଷା ରେଡ୍ଡୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ବୈଠକରେ କଳାହାଣ୍ଡି ଏସ୍ପି ଅଭିଳାଷ ଜି, ଅତିରିକ୍ତ ଜିଲ୍ଲାପାଳ ଶରତ ଶ୍ରୀଚନ୍ଦନ, ସଂସ୍କୃତି ଅଧିକାରୀ ଅର୍ପିତା ବେହେରା, ପୌରାଧ୍ୟକ୍ଷା ସଂଯୁକ୍ତା ବେହେରାଙ୍କ ସମେତ ସମସ୍ତ ବିଭାଗୀୟ ଅଧିକାରୀ ଉପସ୍ଥିତ ଥିଲେ । ମହୋତ୍ସବ ସମୟରେ ଜିଲ୍ଲାରେ ଟ୍ରାଫିକ ବ୍ୟବସ୍ଥା ନେଇ ଏକ ସ୍ୱତନ୍ତ୍ର ବ୍ଲୁପ୍ରିଣ୍ଟ ପାଇଁ ଜିଲ୍ଲାପାଳ ଏସ୍ପିଙ୍କୁ ନିର୍ଦ୍ଦେଶ ଦେଇଛନ୍ତି । ଏହା ସହିତ ବିଭିନ୍ନ ବିଭାଗର ଦାୟିତ୍ୱ ପାଇଁ କମିଟି ଗଠନ ପାଇଁ ମଧ୍ୟ ନିର୍ଦ୍ଦେଶ ଦେଇଛନ୍ତି ଜିଲ୍ଲାପାଳ ।
ଇଟିଭି ଭାରତ, କଳାହାଣ୍ଡି