ଭବାନୀପାଟଣା: ଆଜି ଦେଶ ସ୍ବାଧୀନ । ହେଲେ ଏହି ଦେଶକୁ ଇଂରେଜମାନଙ୍କ କବଳରୁ ମୁକ୍ତ କରିବା ପାଇଁ କେତେ ଯେ ଜୀବନ ବଳି ପଡିଛି ତାହା କହିହେବ ନାହିଁ । କିନ୍ତୁ ବିଡମ୍ବନାର ବିଷୟ ଯେ ଦେଶକୁ ମୁକ୍ତ କରିଥିବା ଅନେକ ସଂଗ୍ରାମୀ ଇତିହାସ ପୃଷ୍ଠାରୁ ଆଜି ବିଲୁପ୍ତ । ଆଉ ଏହି ତାଲିକାରେ ସାମିଲ ଅଛନ୍ତି ଭାରତବର୍ଷ ତଥା ଓଡିଶା କଳାହାଣ୍ଡିର ପ୍ରଥମ ସ୍ବାଧୀନତା ସଂଗ୍ରାମୀ ରେଣ୍ଡୋ ମାଝୀ । ବ୍ରିଟିଶମାନଙ୍କ ଇଂରାଜୀ ଉଚ୍ଚାରଣ ଯୋଗୁ ସେ ରେଣ୍ଡୋ ମାଝୀ ନାମରେ ପରିଚିତ ହେଲେ । ବକେରକାୟା କନ୍ଧ ଡାବିଶ ମାଝିଙ୍କ ଔରସ୍ୟରୁ ଜନ୍ମିତ ଏହି ଆଦିବାସୀ ମଣିଷଟା ନିଜକୁ କନ୍ଧ ସମାଜର ସର୍ଦ୍ଦାର ଭାବେ ବେଶ ଭଲ ଭାବେ ପ୍ରତିପାଦିତ କରିଥିଲେ ।
ପିଲାଦିନରୁ ତୀର ଚାଳନା ଓ ନୌକା ଚାଳନା ଆଦିରେ ଦକ୍ଷତା ହାସଲ କରିଥିଲେ ସେ । ସେତେବଳେ ବ୍ରିଟିଶମାନଙ୍କ ଜନସ୍ବାର୍ଥ ବିରୋଧୀ ଭୂରାଜସ୍ବ ଆଇନ ବଳରେ ଚାଷ ଜମି ଉପରେ କର ବସାଯାଇଥିଲା । ସରକାରଙ୍କ ବିନା ଅନୁମତିରେ ଜଙ୍ଗଲ ସମ୍ପଦ ଆଦିବାସୀମାନେ ଛୁଇଁପାରିବେ ନାହିଁ ବୋଲି ସୂଚନା ଜାରି କରି ଇଂରେଜମାନେ କନ୍ଧମାନଙ୍କ ଉପରେ ନିର୍ଯ୍ୟାତନା ଆରମ୍ଭ କରିଦେଲେ । ଏହା ଫଳରେ ଆଦିବାସୀମାନେ ଏକପ୍ରକାର ଭୂମିହୀନ ହୋଇପଡ଼ିଲେ ।
୧୮୪୦-୫୦ ମଧ୍ୟରେ ଜମିଦାରୀ ପ୍ରଥା ବଦଳିଲା, ପରେ ଇଂରେଜ ଏବଂ ଆଦିବାସୀଙ୍କ ମଧ୍ୟରେ ହୋଇଥିଲା ବିଦ୍ରୋହର ସୂତ୍ରପାତ ହୋଇଥିଲା । ମାଝୀଙ୍କ ନେତୃତ୍ବରେ ୧୮୩୭ରୁ ୧୮୫୫ ପର୍ଯ୍ୟନ୍ତ କନ୍ଧମାନେ ଇଂରେଜ ସରକାର ବିରୋଧରେ ସଂଗ୍ରାମ ଜାରି ରଖିଥିଲେ । କନ୍ଧମାନେ ଅତ୍ୟନ୍ତ ନିଷ୍ଠା, ଶ୍ରଦ୍ଧା ଓ ଭକ୍ତିର ସହ ପାଳନ କରୁଥିବା ମେରିଆ ପୂଜା ବା ମଣିଷ ବଳିକୁ ଇଂରେଜ ସରକାର ଦମନ କଲାପରେ ଆଦିବାସୀମାନଙ୍କ ଏହି ସଂଗ୍ରାମ ନେଇଥିଲା ଉଗ୍ରରୂପ । ଇଂରେଜମାନେ ଆଦିବାସୀମାନଙ୍କ ଉପରେ ଜୁଲୁମ କରି ସେମାନଙ୍କ ଘର ଜାଳିଦେଇଥିଲେ । ଏହି ସମୟରେ ରେଣ୍ଡୋ ମାଝୀ ଆଦିବାସୀ ସମ୍ପ୍ରଦାୟକୁ ଏକତ୍ରିତ କରି ଇଂରେଜମାନଙ୍କ ବିରୋଧରେ ଯୁଦ୍ଧ ଡାକରା ଦେଇଥିଲେ ।
କନ୍ଧମାନେ ପ୍ରଥମେ ମଦନପୁର ରାମପୁର ରାଜାଙ୍କ ବିରୋଧରେ ଯାଇ ଲୁବେନଗଡ଼ଠାରେ ଆକ୍ରମଣ କରିବା ସହ ଧନୁ ତୀର ସାହାଯ୍ୟରେ ଅନେକ ଇଂରେଜ ସୈନ୍ୟଙ୍କୁ ହତ୍ୟା କରିଥିଲେ । ପ୍ରତିଶୋଧପରାୟଣ ଲେଫ୍ଟନାଣ୍ଟ ମ୍ୟାକନିଏଲ କନ୍ଧମାନଙ୍କୁ ଦୃଢ଼ ହସ୍ତରେ ଦମନ କରି ଏକ କାରାଗାରରେ ବନ୍ଦୀ କରିବା ସହ ରେଣ୍ଡୋ ମାଝୀଙ୍କୁ ୧୮୫୫ ମସିହା ଡିସେମ୍ବର ୧୦ରେ ଗୁଳି କରି ହତ୍ୟା କରିଥିଲେ ।
ମାଟି ମା' ପାଇଁ ଶହୀଦ ଏହି ବୀର ଯୋଦ୍ଧାଙ୍କ ସମ୍ମାନ ପାଇଁ ଆଦିବାସୀଙ୍କ ବାରମ୍ବାର ଦାବି ପରେ ରାଜ୍ୟ ସରକାର ଏକ ବ୍ରୋଞ୍ଜର ମୂର୍ତ୍ତି ଦେଇ ଚୁପ ବସିଛନ୍ତି । ସେପଟେ କିନ୍ତୁ ଆଜି ପର୍ଯ୍ୟନ୍ତ ଏହି ସଂଗ୍ରାମୀଙ୍କୁ ମିଳିନାହିଁ ଜାତୀୟ ସ୍ତରରେ ସ୍ବାଧାନତା ସଂଗ୍ରାମୀର ମାନ୍ୟତା । ଯାହାକୁ ନେଇ ବୁଦ୍ଧିଜୀବୀ ମହଲରେ ପ୍ରକାଶ ପାଇଛି ଅସନ୍ତୋଷ ।
ଦେଶମାତୃକା ପାଇଁ ଜୀବନକୁ ଜଳାଞ୍ଜଳି ଦେଇଥିବା ଆଦିବାସୀ ସର୍ଦ୍ଦାର ରେଣ୍ଡୋ ମାଝୀଙ୍କୁ ସଂଗ୍ରାମୀର ସମ୍ମାନ ପାଇଁ ଆଜି ବି ସରକାରଙ୍କ ନଜର ଆଢୁଆଳରେ । ଆଗାମୀ ଦିନରେ ଏହି ବୀର ପୁରୁଷଙ୍କୁ ସମ୍ମାନ ମିଳିବ ନା ସମୟ ସହ ଲିଭିଯିବ ପରିଚୟ ତାହାକୁ ଅପେକ୍ଷା ।
କଳାହାଣ୍ଡିରୁ ଅଜିତ୍ ସିଂ, ଇଟିଭି ଭାରତ