କଳାହାଣ୍ଡି: ଜିଲ୍ଲାର ଧର୍ମଗଡ ଥାନା ଅଧିନସ୍ଥ ଇଚ୍ଛାପୁର ହଳଦିଆପଡାର ଧନୁ ଚଣ୍ଡିଙ୍କ ଧାନ ଖଳାରେ ନିଆ ଲାଗିବାରୁ ୧୦୦ ବସ୍ତାରୁ ଅଧିକ ଧାନ ପାଉଁଶ ହୋଇଯାଇଛି। ଖଳାରେ ସୁନ୍ଦ୍ରିକା ଚଣ୍ଡି ଓ ଧନୁଙ୍କ ପ୍ରାୟ ୧୦୦ ବସ୍ତାରୁ ଅଧିକ ଧାନ ରଖାଯାଇଥିବା ବେଳେ ତାହା ନିଆଁ ଲାଗି ପୋଡି ହୋଇଯାଇଛି।
ଗତ ରାତିରେ କିଭଳି ଭାବେ ସେଥିରେ ନିଆଁ ଲାଗିଯାଇଥିଲା ତାହା ଏବେ ସୁଦ୍ଧା ଜଣା ପଡ଼ିନାହିଁ । ସକାଳୁ ଖଳାକୁ ଯିବା ପରେ ସେମାନେ ନିଆଁ ଲାଗିଥିବା ଦେଖିବାକୁ ପାଇଥିଲେ । ହେଲେ ନିଆଁକୁ ଆୟତ୍ତ କରିବା ପାଇଁ ଚେଷ୍ଟା କରିବା ସହ ଧର୍ମଗଡ ଦମକଳ କେନ୍ଦ୍ରକୁ ଖବର ଦେଇଥିଲେ। ଦମକଳ ବାହିନୀ ନିଆଁକୁ ଆୟତ୍ତ କରିଥିଲେ ମଧ୍ୟ ୧୦୦ରୁ ଅଧିକ ବସ୍ତା ଧାନ ପାଉଁଶ ହୋଇଯାଇଥିଲା।
ଧାର କରଜ ସହ ଘରେ ଥିବା ସୁନାକୁ ବନ୍ଧକ ରଖି ଚାଷ କରିଥିବା ଏହି ଦୁଇ ପରିବାର ଏବେ କିଭଳି ପରିବାର ପ୍ରତିପୋଷଣ କରିବେ ତାକୁ ନେଇ ଚିନ୍ତିତ ଥିବା ପ୍ରକାଶ କରିଛନ୍ତି। ଅନ୍ୟପଟେ ସରକାରୀ ସହାୟତା ଯୋଗାଇ ଦେବାକୁ ବିପନ୍ନ ପରିବାର ନିବେଦନ କରିଛନ୍ତି।
କଳାହାଣ୍ଡିରୁ ଅଜିତ ସିଂ, ଇଟିଭି ଭାରତ