ଭବାନୀପାଟଣା: ଟର୍ଚ୍ଚ ଲାଇଟରେ ରୋଗୀଙ୍କୁ ଦେଖିଲେ ଡାକ୍ତର । ଦୀର୍ଘ ଦୁଇ ଘଣ୍ଟା ଘରି ଡାକ୍ତରଖାନା ପରିସରରେ ବିଦ୍ୟୁତ ସରବରାହ ନଥିବାରୁ ହୀନସ୍ତା ଭୋଗିଲେ ରୋଗୀ । କଳାହାଣ୍ଡି ମୁଖ୍ୟ ଡାକ୍ତରଖାନାରେ ସ୍ବାସ୍ଥ୍ଯ ସେବାର ଏଭଳି ନଗ୍ନ ଚିତ୍ର ସାମ୍ନାକୁ ଆସିଛି । ଗତ ବିଳମ୍ବିତ ରାତିରେ ଏମ୍ସିଏଚ୍ ବିଲ୍ଡିଂ ପ୍ରସୂତି ଓ ଚିକିତ୍ସା ବିଭାଗ ୱାର୍ଡରେ ବିଦ୍ୟୁତ ନଥିବାରୁ ଟର୍ଚ୍ଚ ଆଲୁଅରେ ଡାକ୍ତର ରୋଗୀ ଦେଖୁଥିବା ଘଟଣା ରୋଗୀଙ୍କ ପରିବାର ଲୋକେଙକ ମଧ୍ୟରେ ଅସନ୍ତୋଷ ସୃଷ୍ଟି କରିଛି । ଏହି ଘଟଣା ମୁଖ୍ୟ ଡାକ୍ତରଖାନା କର୍ତ୍ତୃପକ୍ଷଙ୍କ ଦାୟିତ୍ବ ହୀନତାକୁ ପଦାରେ ପକାଇଥିବା ଚର୍ଚ୍ଚା ହେଉଛି ।
ସୂଚନାନୁସାରେ, ଶନିବାର ସନ୍ଧ୍ୟାରେ ଜିଲ୍ଲା ମୁଖ୍ୟ ଡାକ୍ତରଖାନାରେ ବିଜୁଳି ଚାଲି ଯାଇଥିଲା । ପରେ ଏମ୍ସିଏଚ୍ରେ ନିୟୋଜିତ କର୍ମଚାରୀ ଜେନେରେଟର ଚଳାଇଥିଲେ । ଡିଜିରେ ଥିବା ବ୍ୟାଟେରୀ ଅଚାନକ ଫାଟିଯିବାରୁ ପ୍ରଚଣ୍ଡ ଶବ୍ଦ ହୋଇଥିଲା । ପୂର୍ବରୁ ବିଦ୍ୟୁତ ନଥିବାରୁ ସମ୍ପୂର୍ଣ୍ଣ ଏମ୍ସିଏଚ୍ ବିଲ୍ଡିଂର ବିଭିନ୍ନ ୱାର୍ଡ, ଅସ୍ତ୍ରୋପଚାର କକ୍ଷରେ ବିଜୁଳି ନଥିଲା । ଫଳରେ ସାରା ଡାକ୍ତରଖାନା ଦୁଇ ଘଣ୍ଟା ଧରି ଅନ୍ଧକାରରେ ବୁଡ଼ି ରହିଥିଲା । ଏହି ସମୟରେ ପ୍ରସୂତି ଓ ଶିଶୁ ଚିକିତ୍ସା ବିଭାଗରେ ଡାକ୍ତର ଟର୍ଚ୍ଚ ବ୍ୟବହାର କରି ଚିକିତ୍ସା କରିଥିଲେ । ମୁଖ୍ୟ ଡାକ୍ତରଖାନାରେ ଲାଗିଥିବା ଡିଜି ଜେନରେଟରର ବ୍ୟାଟେରୀ ୨୦୧୯ରେ ଲଗାଯାଇଥିଲା । ଦୀର୍ଘ ୫ବର୍ଷ ଧରି ତାହାର ରକ୍ଷଣାବେକ୍ଷଣ ଯୋଗାଣ କରିଥିବା ସଂସ୍ଥା କରୁନଥିବାବେଳେ ଡାକ୍ତରଖାନା କର୍ତ୍ତୃପକ୍ଷ ଏହି ବାବଦକୁ ଲକ୍ଷାଧିକ ଟଙ୍କା ପଇଠ କରି ଚାଲିଛନ୍ତି । ଯୋଗାଣ ସଂସ୍ଥା ଓ ହସ୍ପିଟାଲ କର୍ତ୍ତୃପକ୍ଷଙ୍କ ଉଦାସୀନତାକୁ ଏହା ସ୍ପଷ୍ଟ କରୁଥିବା ସାଧାରଣରେ ଚର୍ଚ୍ଚା ହେଉଛି ।
ଏହା ମଧ୍ୟ ପଢ଼ନ୍ତୁ: ବେଗୁନିଆରେ ବିପର୍ଯ୍ୟସ୍ତ ସ୍ବାସ୍ଥ୍ୟସେବାରୁ ଦହଗଞ୍ଜ ସାଧାରଣ ଲୋକ, ନୀରବଦ୍ରଷ୍ଟା ପ୍ରଶାସନ
ଏ ସମ୍ପର୍କରେ କଳାହାଣ୍ଡି ମୁଖ୍ୟ ଚିକିତ୍ସାଧିକାରୀ ଡା.ଗିରିଶ ଚନ୍ଦ୍ର ରାଉତଙ୍କୁ ପଚାରିବାରିବାକୁ ଡିଜି ବ୍ୟାଟେରୀ ପୋଡ଼ିଯିବାରୁ ବିଦ୍ୟୁତ୍ ଯୋଗାଣ ବାଧାପ୍ରାପ୍ତ ହୋଇଥିଲା ପରେ ସ୍ଥାନୀୟ ବଜାରରୁ ବ୍ୟାଟେରୀ ଅଣାଯାଇ ସଂଯୋଗ କରାଯାଇଛି । ବର୍ତ୍ତମାନ ପରିସ୍ଥିତି ସ୍ଵାଭାବିକ ହୋଇଥିବା ସେ କହିଛନ୍ତି । କଳାହାଣ୍ଡି ଜିଲ୍ଲାର ଦୀର୍ଘ ଦିନର ଦାବି କ୍ରମେ ଭବାନୀପାଟଣା ଭଙ୍ଗାବାରିଠାରେ ମେଡିକାଲ କଲେଜ ସ୍ଥାପନ ହୋଇଛି । ଶିକ୍ଷା ବର୍ଷ ୨୦୨୩– ୨୪ରୁ ଛାତ୍ରଛାତ୍ରୀଙ୍କ ନାମ ଲେଖା ଆରମ୍ଭ ହେବ ବୋଲି କୁହାଯାଇଛି । ଅପରପକ୍ଷେ ସହୀଦ ରେଣ୍ଡୋ ମାଝି ନାମରେ ନାମିତ ମେଡିକାଲ କଲେଜର ଡାକ୍ତରଖାନା ଆଗାମୀ ଦୁଇ ବର୍ଷ ଅର୍ଥାତ ଭଙ୍ଗାବାରିଠାରେ ମେଡିକାଲ କଲେଜର ହସ୍ପିଟାଲ କାର୍ଯ୍ୟକ୍ଷମ ହେବା ପର୍ଯ୍ୟନ୍ତ ମୁଖ୍ୟ ଡାକ୍ତରଖାନାରେ ହସ୍ପିପଟାଲ ଚାଲିବ । ତେବେ ଏଠାରେ ନିରବଚ୍ଛିନ୍ନ ବିଦ୍ୟୁତ ଯୋଗାଣ ହୋଇପାରୁ ନଥିବାବେଳେ କିଭଳି ତାହା ସମ୍ଭବ ହେବ ଏ ଦିଗରେ ଜିଲ୍ଲା ପ୍ରଶାସନ ଦୃଷ୍ଟି ଦେବାକୁ ବୁଦ୍ଧିଜୀବୀ ମହଲରେ ଦାବି ହେଉଛି ।
ଇଟିଭି ଭାରତ, କଳାହାଣ୍ଡି