ଭବାନୀପାଟଣା: ବିଜୁ ବାବୁଙ୍କ ୧୦୭ତମ ଜୟନ୍ତୀ ଅବସରରେ ଆଜି ମୁଖ୍ୟମନ୍ତ୍ରୀ ପଶ୍ଚିମ ଓଡ଼ିଶା ଗସ୍ତ କରି ବିଭିନ୍ନ ବିକାଶମୂଳକ ପ୍ରକଳ୍ପର ଶୁଭାରମ୍ଭ କରିଛି । ଏହାରି ମଧ୍ୟରେ ମୁଖ୍ୟମନ୍ତ୍ରୀ ଦିନିକିଆ କଳାହାଣ୍ଡି ଜିଲ୍ଲାକୁ ଗସ୍ତ କରି ପ୍ରାୟ ୫୨୭ କୋଟି ଟଙ୍କା ବ୍ୟୟର ନିର୍ମିତ ପ୍ରକଳ୍ପର ଉଦଘାଟନ କରିବା ସହିତ ୧୫୭୩ କୋଟି ଟଙ୍କା ପ୍ରକଳ୍ପର ଭିତ୍ତିପ୍ରସ୍ତର ସ୍ଥାପନ କରିଛନ୍ତି । ଏହାଦ୍ବାରା ଜିଲ୍ଲାବାସୀଙ୍କ ଭବିଷ୍ୟତ ଉଜ୍ଜ୍ବଳମୟ ହେବ ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ । ଏହାସହ ବିଜୁ ଏକ୍ସପ୍ରେସ ରାସ୍ତାର ଲୋକାର୍ପଣ କରିଛନ୍ତି ।
୨୦୨୩ ପ୍ରଥମ ଦୁଇ ମାସରେ ମୁଖ୍ୟମନ୍ତ୍ରୀଙ୍କ ଏହା ପଶ୍ଚିମ ଓଡ଼ିଶା ଗସ୍ତ ହୋଇଛି । ମୁଖ୍ୟମନ୍ତ୍ରୀ କଳାହାଣ୍ଡି ଜିଲ୍ଲାକୁ ଗସ୍ତ କରି ବିଜୁ ଏକ୍ସପ୍ରେସ ୱେର ଲୋକାର୍ପଣ କରିଛନ୍ତି । ରାଉରକେଲାରୁ ଆମପାଣିକୁ ସଂଯୋଗ କରୁଥିବା ୫୪୬ କିମି ଦୈର୍ଘ୍ୟ ବିଶିଷ୍ଟ ୪ ଲେନ୍ ବିଜୁ ଏକ୍ସପ୍ରେସ ୱେ ନିର୍ମାଣ କରାଯାଇଛି । ସେଥିରୁ ୨୦୨୨-୨୩ରେ ୬୦୦ କୋଟି ଟଙ୍କା ବ୍ୟୟରେ ଶେଷ ପର୍ଯ୍ୟାୟରେ ନୂଆପଡା ଘାଟିପଡ଼ାଠାରୁ ଆମପାଣି ପର୍ଯ୍ୟନ୍ତ ୧୭୬କିମି ରାସ୍ତାର ନିର୍ମାଣ ହୋଇଛି । ସେଥିରୁ ନୂଆପଡା ଜିଲ୍ଲାର ସଦର ବ୍ଲକ ସାହିପଳାରୁ ସିନାପାଲି ବ୍ଲକର ଧିଙ୍ଗିଆମୁଣ୍ଡା ପର୍ଯ୍ୟନ୍ତ ୧୨୧ କିମି ପର୍ଯ୍ୟନ୍ତ ରାସ୍ତା ରହିଛି ।
ମୁଖ୍ୟମନ୍ତ୍ରୀ ହେଲିକପ୍ଟର ଯୋଗେ ଜିଲ୍ଲାର ଗୋଲାମୁଣ୍ଡା ବ୍ଲକର ବୃନ୍ଦାବାହାଲ ଖେଳ ପଡିଆଠାରେ ଦିନ ୩ଟା ସମୟରେ ଅବତରଣ କରିବା ପରେ ସେଠାରୁ ମଞ୍ଚରେ ପହଞ୍ଚିଥିଲେ । ମଞ୍ଚରେ ମୁଖ୍ୟମନ୍ତ୍ରୀ ପହଞ୍ଚିବା ପରେ ଜିଲ୍ଲା ବିଜେଡି ପକ୍ଷରୁ ମୁଖ୍ୟମନ୍ତ୍ରୀଙ୍କୁ ସ୍ବାଗତ ସମ୍ବର୍ଦ୍ଧନା ଜଣାଯାଇଥିଲା । ପ୍ରଥମେ ଜୟ ମା' ଭଣ୍ଡାରଘରେ ନାରାରୁ ଆରମ୍ଭ ହୋଇଥିଲା ନବୀନଙ୍କ ଅଭିଭାଷଣ । ଏହି ବିଜୁ ଏକ୍ସପ୍ରେସ ୱେ ପଶ୍ଚିମ ଓଡ଼ିଶାର ଅର୍ଥନୈତିକ ଅଭିବୃଦ୍ଧି ଅନ୍ୟତମ ବାହକ ହେବା ସହ ଶିଳ୍ପାନୁଷ୍ଠାନ ସ୍ଥାପନ ହେବ ଯାହା ଅଞ୍ଚଳର ବିକାଶରେ ସହାୟକ ହେବ ବୋଲି ମୁଖ୍ୟମନ୍ତ୍ରୀ ନିଜ ଅଭିଭାଷଣରେ କହିଛନ୍ତି ।
ଏହା ବି ପଢନ୍ତୁ- ଫୋକସରେ ପଶ୍ଚିମ ଓଡିଶା, ଲୋକାର୍ପଣ ହେବ ବିଜୁ ଏକ୍ସପ୍ରେସ ୱେ
ମୋଟ ୫୨୭ କୋଟି ବ୍ୟୟରେ ଉଦଘାଟିତ ପ୍ରକଳ୍ପରେ ରାସ୍ତା ଓ ସେତୁ ଲାଗି ୪୦୫.୫୮ କୋଟି, ଶିକ୍ଷା ଭିତ୍ତିଭୂମି ଲାଗି ୪୩.୨୪ କୋଟି, ଜଳ ସମ୍ପଦ ପ୍ରକଳ୍ପ ଲାଗି ୩୦.୦୨ କୋଟି, ପାନୀୟ ଜଳ ଯୋଗାଣ ଲାଗି ୨୬.୭୮ କୋଟି, ମିଶନ ଶକ୍ତି ଭବନ ଲାଗି ୪.୬୪ କୋଟି, ପର୍ଯ୍ୟଟନ ଭିତ୍ତିଭୂମି ଲାଗି ୧.୫୯ କୋଟି ଆଦି ପ୍ରକଳ୍ପ ଅନ୍ତର୍ଭୁକ୍ତ । ଏହାସହ ଧର୍ମଗଡ଼ରେ ପ୍ରାୟ ୩ କୋଟିରୁ ଊର୍ଦ୍ଧ୍ବ ଟଙ୍କାରେ ନିର୍ମିତ ସରକାରୀ ବସ୍ଷ୍ଟାଣ୍ଡ, ୭କୋଟି ୮୪ଲକ୍ଷ ଟଙ୍କା ବ୍ୟୟରେ ନିର୍ମିତ ବିଜୁ ପଟ୍ଟନାୟକ ଇନ୍ଡୋର ଷ୍ଟାଡିୟମର ଲୋକାର୍ପଣ କରିଥିଲେ ମୁଖ୍ୟମନ୍ତ୍ରୀ । ଏହସହ ମିଶନ ଶକ୍ତି ମାଆମାନଙ୍କୁ ୧୩ କୋଟି ୫୭ ଲକ୍ଷର ବିନା ସୁଧରେ ଋଣ ପ୍ରଦାନ କରିଛନ୍ତି ।
ପରେ କାର୍ଯ୍ୟକ୍ରମ ସ୍ଥଳରୁ ଧର୍ମଗଡ଼କୁ ରୋଡ଼ ଶୋ'ରେ ଯାଇଥିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ନବୀନଙ୍କୁ ଦେଖିବା ପାଇଁ ରାସ୍ତାର ଉଭୟ ପାର୍ଶ୍ଵରେ ଶହ ଶହ ଜନ ସାଧାରଣଙ୍କ ସମାଗମ ହୋଇଥିଲା । ପରେ ମୁଖ୍ୟମନ୍ତ୍ରୀ ହେଲିକପ୍ଟର ଯୋଗେ ଆମପାଣିକୁ ଯାଇ ସେଠାରେ ମଧ୍ୟ ଜନ ସମାବେଶକୁ ସମ୍ବୋଧନ କରିଥିଲେ । ଆମପାଣିଠାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ବିଜେଡି ଜିଲ୍ଲା ସଭାପତି ପୁଷ୍ପେନ୍ଦ୍ର ସିଂହଦେଓଙ୍କ ସମେତ ବିଜେଡି ନେତା ଓ କର୍ମୀ ଉପସ୍ଥିତ ରହିଥିଲେ ।
ଇଟିଭି ଭାରତ, କଳାହାଣ୍ଡି