ଭବାନୀପାଟଣା: ରସିକିଆ ପ୍ରେମିକର ସୈତାନ ବୁଦ୍ଧି । ଜଣେ ଯୁବତୀ ଓ ଜଣେ ବିଧବା ମହିଳାଙ୍କୁ ପ୍ରେମ ଜାଲରେ ଫସାଇ ବା ପରେ ବିବାହର ପ୍ରତିଶୃତି ଦେଇ ରଖିଥିଲା ଶାରୀରିକ ସମ୍ପର୍କ । ଶେଷରେ ୨ ପ୍ରେମିକା ୨ଟି ସନ୍ତାନ ଜନ୍ମ ଦେବା ପରେ ୨ ଶିଶୁଙ୍କ ତଣ୍ଟି ଚିପି ହତ୍ୟା କରିଥିଲା ରାକ୍ଷସ ପ୍ରେମିକ । ଏଭଳି ଅଭିଯୋଗ ଆସିଛି କଳାହାଣ୍ଡି ଜୟପାଟଣା ଥାନା ବେହେରେନସିଲ ଗାଁର ତ୍ରିପାଳ ନାଏକଙ୍କ ନାଁରେ ।
ଗତ ୨୦୨୦ରେ ଗୋଲାମୁଣ୍ଡା ଥାନା ବୋରଗୁମାର ବିଧବା ମହିଳା ଓ ଯୁବତୀ ପେଟପାଟଣା ପାଇଁ ତ୍ରିପାଳ ନାଏକଙ୍କ ସହ ଦାଦନ ଖଟିବାକୁ ଗୋଆ ସହରକୁ ଯାଇଥିଲେ । କିଛି ଦିନ ସେମାନେ ଏକାଠି କାମ କରିବା ପରେ ବିଧବା ମହିଳା ଓ ଯୁବତୀଙ୍କ ସହ ପ୍ରେମ ସମ୍ପର୍କ ଗଢ଼ି ଉଠିଥିଲା ତ୍ରିପାଳର । ପରେ ସେମାନଙ୍କୁ ବିବାହର ପ୍ରତିଶୃତି ଦେଇ ସେମାନଙ୍କ ସହ ଶାରୀରିକ ସଂପର୍କ ରଖିଥିଲା l ଦୀର୍ଘ ଦିନ ପରେ ଉଭୟ ଦୁଇ ପ୍ରେମିକା ୨ ସନ୍ତାନ ଜନ୍ମ ଦେଇଥିଲେ । ଏହାପରେ ୨ ଶିଶୁଙ୍କୁ ନେଇ ଭିଟାମାଟିକୁ ଫେରିବାକୁ ଜିଦ କରିବାରୁ ଶେଷରେ ସୈତାନର ରୂପ ନେଇଥିଲା ତ୍ରିପାଳ । ଶେଷରେ ୨ଶିଶୁଙ୍କ ତଣ୍ଟି ଚିପି ହତ୍ୟା କରିଥିଲା l ପରେ କିଛି ଦିନ ପରେ ଉଭୟଙ୍କୁ ଆଣି ନିଜ ଗାଁରେ ଛାଡି ଅନ୍ୟତ୍ର ଚାଲିଯିବା ପରେ ଉଭୟ ପ୍ରେମିକା ଏନେଇ ଦଶପୁର ଫାଣ୍ଡିରେ ଅଭିଯୋଗ କରିଥିଲେ ।
ଅଭିଯୋଗ ପରେ ଘଟଣାର ତଦନ୍ତ କରି ପ୍ରେମିକ ତ୍ରିପାଳ ନାଏକକୁ ପୋଲିସ ଗିରଫ କରି କୋର୍ଟ ଚାଲାଣ କରିଥିଲା । ଏହାପରେ ଅଗଷ୍ଟ ୧ ତାରିଖ ଦିନ ପ୍ରେମିକ ତ୍ରିପାଲକୁ ପୋଲିସ ରିମାଣ୍ଡରେ ଆଣିବା ସହ ଧର୍ମଗଡ ଉପଖଣ୍ଡ ପୋଲିସ ଅଧିକାରୀଙ୍କ ନେତୃତ୍ୱରେ ଏକ ଟିମ୍ ଗୋଆକୁ ଯାଇ ତଦନ୍ତ କରିବା ସହ ସେଠାରୁ ଏକ ଶିଶୁର କଙ୍କାଳ ଜବତ କରିଥିବା ଜଣାପଡିଛି । ରିମାଣ୍ଡରେ ଆଣି ଅଧିକ ପଚରାଉଚରା ପରେ ସୈତାନ ପ୍ରେମିକକୁ ପୋଲିସ ପୁଣି କୋର୍ଟ ଚାଲାଣ କରାଯାଇଥିବା କଳାହାଣ୍ଡି ଏସପି ଶ୍ରବଣ ବିବେକ କହିଛନ୍ତି ।
କଳାହାଣ୍ଡିରୁ ଅଜିତ କୁମାର ସିଂ, ଇଟିଭି ଭାରତ