ଭବାନୀପାଟଣା: କୋରୋନା ମୁକାବିଲାରେ ପ୍ରମୁଖ ଯୋଦ୍ଧା ପାଲଟିଥିବା ସରପଞ୍ଚମାନଙ୍କୁ ଜିଲ୍ଲାପାଳ କ୍ଷମତା ଦିଆଯାଇଥିଲେ ମଧ୍ୟ ସେମାନଙ୍କ ସୁରକ୍ଷା ପାଇଁ କୌଣସି ବ୍ୟବସ୍ଥା ହୋଇନଥିବା ଅଭିଯୋଗ ହୋଇଛି । ଏଥିପାଇଁ ମଦନପୁର ରାମପୁର ପଞ୍ଚାୟତ ସମିତି ଅଧୀନରେ ଥିବା 19ଟି ପଞ୍ଚାୟତର ସରପଞ୍ଚମାନେ କାର୍ଯ୍ୟବନ୍ଦ କରିବାକୁ ନିଷ୍ପତ୍ତି ନେଇଛନ୍ତି ।
ସଂକ୍ରମଣକୁ ପ୍ରତିହତ କରିବା ପାଇଁ ସରକାର କ୍ବାରେଣ୍ଟାଇନ ସେଣ୍ଟରର ବ୍ୟବସ୍ଥା କରିଥିବା ବେଳେ ଏହାର ତଦାରଖ ପାଇଁ ସ୍ଥାନୀୟ ପଞ୍ଚାୟତ ସରପଞ୍ଚ ମାନଙ୍କୁ ସମସ୍ତ ଦାୟିତ୍ବ ଦିଆଯାଇଛି । ଗତ କିଛିଦିନ ତଳେ କଳାହାଣ୍ଡି ଜିଲ୍ଲାର ମଦନପୁର ରାମପୁର ବ୍ଲକ ମୋହନଗିରି କ୍ବାରେଣ୍ଟାଇନ ସେଣ୍ଟରରେ ବିଭିନ୍ନ ଅବ୍ୟବସ୍ଥା ନେଇ ଅନ୍ତେବାସୀ ପ୍ରବାସୀ ମାନଙ୍କ ଦ୍ବାରା ଏକ ଭିଡ଼ିଓ ଭାଇରାଲ ହୋଇଥିଲା । ସେପଟେ ବ୍ଲକ ସରପଞ୍ଚ ସଂଘ କ୍ବାରେଣ୍ଟାଇନ ସେଣ୍ଟରରେ ପ୍ରବାସୀମାନେ ଦୁର୍ବ୍ୟବହାର କରିଥିବା ନେଇ ଅଭିଯୋଗ କରିଛି । ଏଭଳି ଘଟଣାକୁ ଏଡେଇବା ପାଇଁ ସରପଞ୍ଚ ସଂଘ କଳାହାଣ୍ଡି ଜିଲ୍ଲାପାଳଙ୍କ ହସ୍ତକ୍ଷେପ ଦାବି କରିଛି ।
କଳାହାଣ୍ଡିରୁ ଅଜିତ ସିଂ, ଇଟିଭି ଭାରତ