ଝାରସୁଗୁଡା: ଝାରସୁଗୁଡା ଉପନିର୍ବାଚନ ସମୟରେ ଦାଦାଗିରି । ନିଜ ମନ ମୁତାବକ ପ୍ରାର୍ଥୀଙ୍କୁ ଭୋଟ ଦେବେ ବୋଲି କହିବାରୁ ନିସ୍ତୁକ ମାଡ ଖାଇଲେ ଭୋଟର । କାଖମାଲ ଠାରେ ଜଣେ ଭୋଟରଙ୍କ ଉପରେ ମରଣାନ୍ତକ ଆକ୍ରମଣ ହୋଇଛି । ଆକ୍ରମଣକାରୀମାନେ ତାଙ୍କୁ ଏକ ନିର୍ଦ୍ଦିଷ୍ଟ ଦଳକୁ ଭୋଟ ଦେବା ପାଇଁ କହିଥିଲେ । ଭୋଟର ଜଣକ ତାଙ୍କ କଥାକୁ ବାରଣ କରିଥିଲେ ଏବଂ ନିଜ ପସନ୍ଦର ପ୍ରାର୍ଥୀଙ୍କୁ ଭୋଟ ଦେବେ ବୋଲି କହିଥିଲେ । ଏହାଶୁଣି ଆକ୍ରମଣକାରୀମାନେ ତାଙ୍କୁ ନିସ୍ତୁକ ମାଡ ମାରି ଲହୁଲୁହାଣ କରିଦେଇଛନ୍ତି । ଏଥିରେ ଭୋଟର ଜଣକ ଗୁରୁତର ଆହତ ହୋଇଛନ୍ତି । ତାଙ୍କୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି । ଭୋଟର କାଖମାଲ ଅଞ୍ଚଳର ପରମାନନ୍ଦ କାଲୋ । ଏବେ ସେ ଚିକିତ୍ସାଧୀନ ଅଛନ୍ତି ।
କେବଳ ସେତିକି ନୁହେଁ, ଉପନିର୍ବାଚନ ମତଦାନ ସମୟରେ ଝାରସୁଗୁଡା ପୌରାଞ୍ଚଳ ଅନ୍ତର୍ଗତ ଏକତାଲିକାରେ ତୀବ୍ର ଉତ୍ତେଜନା ପ୍ରକାଶ ପାଇଥିଲା । ଏକତାଲି ସରକାରୀ ବିଦ୍ୟାଳୟରେ ଥିବା ବୁଥ ନଂ ୪୯ ଓ ୫୦ ଠାରେ ବିଜେପି ଓ ବିଜେଡ଼ି କର୍ମୀ ମୁହାମୁହିଁ ହୋଇଥିଲେ । ଉଭୟ ଦଳର କର୍ମୀ ବୁଥକୁ ମତଦାନ କରିବାକୁ ଯାଉଥିବା ସମୟରେ ଧସ୍ତାଧସ୍ତି ହୋଇଥିଲେ । ଖବର ପାଇ ସ୍ଥାନୀୟ ପୋଲିସ ଅଧିକାରୀ ଘଟଣାସ୍ଥଳରେ ପହଞ୍ଚି ବୁଝାସୁଝା କରିବା ପରେ ଗଣ୍ଡଗୋଳ ଥମିଥିଲା ।
ପ୍ରକାଶଥାଉ କି, ପୂର୍ବତନ ସ୍ବାସ୍ଥ୍ୟମନ୍ତ୍ରୀ ନବ ଦାସଙ୍କ ଦେହାନ୍ତ ପରେ ବୁଧବାର ଝାରସୁଗୁଡାରେ ଉପନିର୍ବାଚନ ମତଦାନ ହୋଇଛି । ସନ୍ଧ୍ୟା ୫ଟା ସୁଦ୍ଧା ୬୮.୧୨ ପ୍ରତିଶତ ମତଦାନ ରେକର୍ଡ କରାଯାଇଛି । ଆସନ୍ତା ୧୩ରେ ଭୋଟ ଗଣତି ଫଳାଫଳ ପ୍ରକାଶ ପାଇବ । ବିଜେଡି ପକ୍ଷରୁ ସ୍ବର୍ଗତ ନବ ଦାସଙ୍କ ଝିଅ ଦୀପାଳି ଦାସ ଉପନିର୍ବାଚନରେ ପ୍ରତିଦ୍ବନ୍ଦିତା କରିଥିବା ବେଳେ ବିଜେପି ଟଙ୍କଧର ତ୍ରିପାଠୀ ଏବଂ କଂଗ୍ରେସ ତରୁଣ ପାଣ୍ଡେଙ୍କୁ ପ୍ରାର୍ଥୀ କରିଛି । ତିନୋଟି ଯାକ ଦଳ ନିଜର ବିଜୟକୁ ନେଇ ଦମ୍ଭୋକ୍ତି ଦେଖାଉଥିବା ବେଳେ କିଏ ଝାରସୁଗୁଡାରେ ବାଜି ମାରିବ ତାହା ଆଉ ଦିନକ ପରେ ସ୍ପଷ୍ଟ ହୋଇଯିବ ।
ଏହାମଧ୍ୟ ପଢନ୍ତୁ: Jharsuguda By Poll: ସରିଲା ମତଦାନ, ସନ୍ଧ୍ୟା ୫ଟା ସୁଦ୍ଧା ୬୮.୧୨% ମତଦାନ
ଏହାମଧ୍ୟ ପଢନ୍ତୁ: ସସପେନ୍ସରେ ନବୀନ-ନୀତିଶ ରାଜନୈତିକ ଆଲୋଚନା, କୌଣସି ସୁଫଳ ମିଳିବନି କହିଲା କଂଗ୍ରେସ
ଇଟିଭି ଭାରତ, ଝାରସୁଗୁଡା