ଝାରସୁଗୁଡ଼ା: ଜିଲ୍ଲାର ବେଲପାହାଡ଼ ପୌରାଞ୍ଚଳ ଅନ୍ତର୍ଗତ କାଡ଼ୁପଡ଼ା ନିକଟରେ ୫ ଟନ୍ କ୍ଷମତା ବିଶିଷ୍ଟ ମାଇକ୍ରୋ କମ୍ପୋଷ୍ଟିଂ କେନ୍ଦ୍ରର ଶୁଭାରମ୍ଭ ହୋଇଛି । ଏହି କେନ୍ଦ୍ରରେ ବର୍ଯ୍ୟବସ୍ତୁରୁ ଜୈବିକ ସାର ପ୍ରସ୍ତୁତ କରାଯିବ ।
କେନ୍ଦ୍ରରେ ବାସଗୃହ ଗୁଡ଼ିକରୁ ସଂଗ୍ରହ ହେଉଥିବା ଶୁଖିଲା ଏବଂ କଞ୍ଚା ବର୍ଯ୍ୟବସ୍ତୁକୁ ୧୨ଟି କୁଣ୍ଡରେ ଅଲଗା ଅଲଗା ଭାବେ ବ୍ୟବହାର କରାଯାଇ ଜୈବିକ ସାର ପ୍ରସ୍ତୁତ କରାଯିବ । ଏହି ସାର ପ୍ରସ୍ତୁତି ପାଇଁ ଆବଶ୍ୟକ ପରିମାଣର ଗୁଡ଼,ଦହି ଓ କୁଣ୍ଡା ବ୍ୟବହୃତ ହେବ । ସାର ପ୍ରସ୍ତୁତି ପରେ ଏହାକୁ ପ୍ୟାକେଟ ଓ ବସ୍ତାରେ ଭର୍ତ୍ତି କରାଯାଇ କେଜି ଓଜନ ପ୍ରତି ୨୦ ଟଙ୍କା ମୂଲ୍ୟରେ ବଜାରରେ ବିକ୍ରି କରାଯିବ ।
ସହର ବାସଗୃହ ଓ ହାଟ ବଜାରରୁ ବାହାରୁଥିବା ପଚା ପନିପରିବା ଓ ପରିବା ଚୋପାକୁ ରିକ୍ସାରେ ସଂଗ୍ରହ କରାଯାଇ କମ୍ପୋଷ୍ଟିଂ କେନ୍ଦ୍ରକୁ ଅଣାଯିବ ଏବଂ କୁଣ୍ଡରେ ୭ଦିନ ପାଇଁ ବାଷ୍ପରୁଦ୍ଧ ଅବସ୍ଥାରେ ରଖାଯିବ । ଏହାପରେ ମିଶ୍ରଣ ବର୍ଯ୍ୟବସ୍ତୁ ସହିତ କୁଣ୍ଡା ମିଶ୍ରଣ କରାଯାଇ ଗୁଳା ପ୍ରସ୍ତୁତ କରାଯିବ । ଏହାପରେ ଗୁଳା ଗୁଡ଼ିକୁ ଆହୁରି ୪୦ ଦିନ କୁଣ୍ଡରେ ଘୋଡ଼ାଇ ରଖାଗଲା ପରେ ଏହି ମିଶ୍ରଣକୁ ଶୁଖିଲା ଅବସ୍ଥାକୁ ଆଣାଯାଇ ସାର ପ୍ରସ୍ତୁତ କରାଯିବ ।
ଏହି ପ୍ରକଳ୍ପର ଉଦଘାଟନୀ ସମାରୋହରେ ଝାରସୁଗୁଡା ଜିଲ୍ଲାପାଳ ସରୋଜ ସାମଲବ, ଉପଜିଲ୍ଲାପାଳ ଶିବ ଟପ୍ପୋ , ବ୍ରଜରାଜନଗର ବିଧାୟକ କିଶୋର ମହାନ୍ତି, ସାଂସଦ ପ୍ରଦୀନିଧି ତପୁ ଜେନା ଓ ବେଲପାହାଡ଼ ପୌରପରିଷଦ ନିର୍ବାହୀ ଅଧିକାରୀ ସମେତ ଅନ୍ୟାନ୍ୟ କର୍ମଚାରୀ ଉପସ୍ଥିତ ରହିଥିଲେ ।
ଝାରସୁଗୁଡାରୁ ରବି ନାରାୟଣ ସାହୁ, ଇଟିଭି ଭାରତ