ଝାରସୁଗୁଡା: ଆସନ୍ତା ମେ' ୧୦ରେ ଝାରସୁଗୁଡା ଉପନିର୍ବାଚନକୁ ନେଇ ସରଗରମ ରହିଛି ରାଜନୀତି । ଏଥିପାଇଁ ପ୍ରମୁଖ ରାଜନୈତିକ ଦଳର ପ୍ରାର୍ଥୀମାନେ ଜୋରଦାର ପ୍ରଚାର କରୁଛନ୍ତି । ଘରକୁ ଘର ବୁଲି ନାନା ମତେ ଭୋଟରକୁ ଆକୃଷ୍ଟ କରିବାକୁ ଚେଷ୍ଟା ଚଳାଇଛନ୍ତି । ଏହି ଉପନିର୍ବାଚନରେ ନିର୍ବାଚନ ଆୟୋଗଙ୍କ ଦ୍ୱାରା ଜାରି ଆଦର୍ଶ ଆଚରଣ ବିଧିର ଯେପରି ଉଚିତ୍ ଅନୁପାଳନ ହେବେ ସେନେଇ ଜିଲ୍ଲା ପ୍ରଶାସନ ଗୁରୁତ୍ବାରୋପ କରୁଛି । ଏହି ପରିପ୍ରେକ୍ଷୀରେ ଗତକାଲି (ମଙ୍ଗଳବାର) ଝାରସୁଗୁଡା ଜିଲ୍ଲାପାଳ ଅବୋଲୀ ସୁନିଲ ନରୱଣେ ଆଭାସୀ ମାଧ୍ୟମରେ ଜିଲ୍ଲା ସ୍ତରୀୟ ଅଧିକାରୀମାନଙ୍କ ସହ ବୈଠକ କରିଛନ୍ତି ।
କୌଣସି ନିୟମିତ, ଚୁକ୍ତିଭିତ୍ତିକ, ସାମୟିକ ଓ ଆଉଟ ସୋର୍ସିଙ୍ଗ ଦ୍ୱାରା ନିଯୁକ୍ତି ପ୍ରାପ୍ତ କର୍ମଚାରୀ ଯେପରି ଆସନ୍ତା ନିର୍ବାଚନରେ କେଉଁ ଦଳ କିମ୍ବା ପ୍ରାର୍ଥୀଙ୍କ ସପକ୍ଷରେ ପ୍ରଚାର ନକରିବେ କିମ୍ବା ଭୋଟରଙ୍କୁ ନିର୍ଦ୍ଦିଷ୍ଟ ଦଳ ବା ପ୍ରାର୍ଥୀଙ୍କୁ ଭୋଟଦାନ ପାଇଁ ପ୍ରରୋଚିତ କରିବା ଭଳି କାର୍ଯ୍ୟ ନକରିବେ ସେଥିପାଇଁ ଜିଲ୍ଲା ନିର୍ବାଚନ ଅଧିକାରୀ ଓ ଜିଲ୍ଲାପାଳ ନରୱଣେ ନିର୍ଦ୍ଦେଶ ଦେଇଛନ୍ତି । କୌଣସି କର୍ମଚାରୀ ଆଦର୍ଶ ଆଚରଣ ବିଧିର ଉଲ୍ଲଙ୍ଘନ କରୁଥିବାର ଦୃଷ୍ଟିଗୋଚର ହେଲେ ସମ୍ପୃକ୍ତ କର୍ମଚାରୀଙ୍କ ବିରୁଦ୍ଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଜିଲ୍ଲାପାଳ ସତର୍କ କରାଇଛନ୍ତି ।
ଏହାମଧ୍ୟ ପଢନ୍ତୁ: ଝାରସୁଗୁଡାରେ ବଢୁଛି ବିଜେଡି ବଳ, ଦଳରେ ମିଶିଲେ ଶତାଧିକ କଂଗ୍ରେସ କର୍ମୀ
ଏହାସହ ଝାରସୁଗୁଡ଼ା ପୋଲିସ ପ୍ରଶାସନ ମଧ୍ୟ ଉପନିର୍ବାଚନ ପାଇଁ ସଜବାଜ ହେବା ସହିତ ଆକ୍ସନ ମୋଡ଼କୁ ଆସିଛି । ଉପନିର୍ବାଚନକୁ ନଜରରେ ରଖି ବର୍ତ୍ତମାନ ସୁଦ୍ଧା ପୋଲିସ ୧୧୬ଟି ଅବକାରୀ ମାମଲା ରୁଜ୍ଜୁ କରିଛି । ସେହିପରି ୧୫୦ଟି ବେଆଇନ ବନ୍ଧୁକ ଜବତ କରାଯିବା ସଙ୍ଗେ ସଙ୍ଗେ ୧୦୭ ଓ ୧୧୦ ସିଆରପିସି ଧାରା ଅନୁଯାୟୀ ୧୮୦୦ରୁ ଅଧିକ ମାମଲା ରୁଜୁ ହୋଇଛି ଓ କେତେ ଜଣଙ୍କୁ ଅଟକ ରଖାଯିବା ସହ ୧୩୦ଟି ଜାମିନ ବିହୀନ ଗିରଫ ପରୱାନା ଜାରି କରିଛି ପୋଲିସ । ଏହାବ୍ୟତୀତ ଝାରସୁଗୁଡ଼ାରେ ଆଇନ ଶୃଙ୍ଖଳା ବଜାୟ ରଖିବା ଏବଂ ନିର୍ବାଚନ ଆଚରଣ ବିଧି ପାଳନ କରିବା ପାଇଁ ପୋଲିସ ବିଭିନ୍ନ ସ୍ଥାନରେ ଫ୍ଲାଗ ମାର୍ଚ୍ଚ ମଧ୍ୟ କରୁଥିବା ନଜର ଆସିଛି ।
ଏହାମଧ୍ୟ ପଢନ୍ତୁ: ଚଳିତ ଝାରସୁଗୁଡ଼ା ଉପନିର୍ବାଚନରେ ବିଜେପିର ବିଜୟ ହେବ: ଧର୍ମେନ୍ଦ୍ର ପ୍ରଧାନ
ଇଟିଭି ଭାରତ, ଝାରସୁଗୁଡା