ଝାରସୁଗୁଡ଼ା: ବାଣପୁର ବ୍ଲକ ସମ୍ମୁଖରେ ଲୋକଙ୍କ ଉପରେ ଚିଲିକା ବିଧାୟକ ପ୍ରଶାନ୍ତ ଜଗଦେବଙ୍କ ଗାଢି ଚଢାଇବା ଘଟଣାକୁ ଝାରସୁଗୁଡା ଜିଲ୍ଲା ବିଜେପି ପକ୍ଷରୁ ବିରୋଧ କରାଯାଇଛି । ଏଥିପାଇଁ ଆଜି(ସୋମବାର) ଝାରସୁଗୁଡା ବସଷ୍ଟାଣ୍ଡ ସ୍ଥିତ ଗାନ୍ଧୀମୂର୍ତ୍ତୀ ସମ୍ମୁଖରେ ଏକ ଘଣ୍ଟିଆ ଗଣ ପ୍ରତିବାଦ ସଭା ଅନୁଷ୍ଠିତ କରି ମୁହଁରେ ଏବଂ ହାତରେ କଳାପତାକା ବାନ୍ଧି ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି ବିଜେପି କର୍ମୀମାନେ ।
ସେମାନେ କହିଛନ୍ତି ପ୍ରଶାନ୍ତ ଜଗଦେବ ନିଜର କ୍ଷମତା ବଳରେ ଅନ୍ଧ ହୋଇ ସାଧାରଣ ଲୋକଙ୍କ ଉପରେ ଗାଡି ଚଢାଇ ତାଙ୍କୁ ଲହୁଲୁହାଣ କରିବା ସହ ହତ୍ୟା ଉଦ୍ୟମ କରିଛନ୍ତି । ତେଣୁ, ତାଙ୍କୁ ସରକାର ସୁରକ୍ଷା ନଦେଇ ଶୀଘ୍ର ଗିରଫ କରିବା ସହ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରନ୍ତୁ ବୋଲି ବିଜେପି ପକ୍ଷରୁ ଦାବି କରାଯାଇଛି । ବିଜେପି ପକ୍ଷରୁ ଆହୁରି ମଧ୍ୟ କୁହାଯାଇଛି ଯେ, ପ୍ରଶାନ୍ତ ଜଗଦେବଙ୍କୁ ବିଜେଡି କେବଳ ନାମକୁ ମାତ୍ର ଦଳରୁ ନିଳମ୍ବନ କରଛି ।
କାରଣ ବିଜେଡିର ମିଶ୍ରଣ ପର୍ବ ଓ ଦଳୀୟ ପ୍ରଚାରରେ ତଥା ପାର୍ଟି କାର୍ଯ୍ୟାଳୟରେ ବିଧାୟକ ପ୍ରଶାନ୍ତ ଜଗଦେବ ଉପସ୍ଥିତ ରହୁଛନ୍ତି । ତେଣୁ, ସରକାର ପ୍ରଶାନ୍ତ ଜଗଦେବଙ୍କୁ ସୁରକ୍ଷା ନଦେଇ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରନ୍ତୁ ନଚେତ ଆଗାମୀ ଦିନରେ ଆହୁରି ଦୃଢ ଆନ୍ଦୋଳନ କରାଯିବ ବୋଲି ବିଜେପି ପକ୍ଷରୁ କୁହାଯାଇଛି ।
ଝାରସୁଗୁଡ଼ାରୁ ଗୁରୁଚରଣ ବାଘ, ଇଟିଭି ଭାରତ