ଝାରସୁଗୁଡ଼ା: ଅସହ୍ୟ ଖରାରେ ଅସ୍ତବ୍ୟସ୍ତ ଜନଜୀବନ । ଡହଡହ ଖାରେ ଭାଜି ହେଉଛନ୍ତି ରାଜ୍ୟବାସୀ । ଗୋଟିଏ ପଟେ ପାରଦ ୪୪ ଡିଗ୍ରୀ ଛୁଇଁଥିବା ବେଳେ ଅନ୍ୟ ପଟେ ପାଣି ପାଇଁ ସୃଷ୍ଟି ହୋଇଛି ହାହାକାର । ସୂର୍ଯ୍ୟଙ୍କ ପ୍ରଖର କିରଣ ସାଙ୍ଗକୁ ଦୁଃଖକୁ ଦ୍ବିଗୁଣିତ କରିଛି ଜଳ କଷ୍ଟ । ତାତି ଯୋଗୁଁ ଧିରେ ଧିରେ ଜଳସ୍ତର ଖସୁଥିବା ଅନୁମାନ କରାଯାଉଛି । ଯେଉଁଥିପାଇଁ ଲୋକେ ପାଣି ଟୋପାଏ ପାଇଁ ଛଟପଟ ହେଉଛନ୍ତି । ହେଲେ ଏଥିପ୍ରତି ପ୍ରଶାସନର ନିଘା ନାହିଁ ।
ଝାରସୁଗୁଡ଼ା ଜିଲ୍ଲା ସ୍ଥିତ ଜମେରା ପଞ୍ଚାୟତରେ ଦେଖାଦେଇଛି ଜଳସଙ୍କଟ । ଜମେରା ପଞ୍ଚାୟତ ଅନ୍ତର୍ଗତ ଜମେରା ଗାଁର ୧ନଂ ଓ ୫ନଂ ୱାର୍ଡର ଲୋକେ ପାନୀୟ ଜଳ ପାଇଁ ଡହଳ ବିକଳ ହେଉଛନ୍ତି । ଏହି ଅଞ୍ଚଳରେ ପ୍ରାୟ ୨ଶହରୁ ଉର୍ଦ୍ଧ୍ବ ପରିବାର ବସବାସ କରନ୍ତି । ଶୋଷ ମେଣ୍ଟାଇବା ପାଇଁ ରହିଛି ୪ଟି ନଳକୂପ । କିନ୍ତୁ ସେ ମଧ୍ୟରୁ ୩ଟି ଅଚଳ ହୋଇପଡିଥିବା ବେଳେ ଗୋଟିଏ ଉପରେ ନିର୍ଭର କରୁଛନ୍ତି ଅଞ୍ଚଳବାସୀ । ଏହି ସମସ୍ୟା କେବଳ ଆଜିର ନହଁ ବରଂ ଦିର୍ଘ ୫ ବର୍ଷ ହେବ ଜଳ କଷ୍ଟରୁ ବାହାରି ପାରୁନାହାନ୍ତି ଏମାନେ । ଫଳରେ ଏହି ଦୁଇ ୱାର୍ଡ କୁ ନିଅଣ୍ଟିଆ ହୋଇଛି ଜଳ ।
ନଳକୂଅରୁ ପାଣି ବାହାରୁଛି ସତ । କିନ୍ତୁ ଜଳସ୍ତର ହ୍ରାସ ପାଇଥିବାରୁ ପର୍ଯ୍ୟାପ୍ତ ପାଣି ଯୋଗାଇ ପାରୁନାହିଁ । ଯାହାଫଳରେ ଅଞ୍ଚଳବାସୀ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ପାଣି ପାଇଁ ଭୋରରୁ ଲାଇନରେ ଛିଡ଼ା ହୋଇ ଗାଁର ଉଭୟ ମହିଳା ଓ ପୁରୁଷ ପାଣି ନେଉଛନ୍ତି । ତେବେ ସ୍ଥାନୀୟ ପ୍ରଶାସନ ଏବଂ ସରପଞ୍ଚ ଏ ଦିଗ ଉପରେ କୌଣସି ପଦକ୍ଷେପ ଗ୍ରହଣ କରୁନଥିବା ଅଭିଯୋଗ କରିଛନ୍ତି ଗ୍ରାମବାସୀ ।
ଅପରପକ୍ଷରେ ସରପଞ୍ଚଙ୍କୁ ଏହି ପ୍ରଚଣ୍ଡ ଖରାରେ ଜଳସଙ୍କଟ ଭଳି ସମସ୍ୟା ଏକ ସାମାନ୍ୟ ବୋଲି ଅନୁମେୟ ହେଲାପରି ମନେ ହେଉଛି । ଘରେ ସରକାରୀ ଯୋଜନାରେ ପାଇପ ଲାଗିଛି , ଆଉ କମ ଦିନ ମଧ୍ୟରେ ପାଣି ଆସିବା । ଜଳ ଯୋଗାଇବା ପାଇଁ ପୁରୁଣା ଟାଙ୍କିର ମରାମତି କାର୍ଯ୍ୟ ଚାଲିଥିବା ଯୋଗୁଁ ଏଭଳି ସମସ୍ୟା ଦେଖାଦେଇଥିବା କହିଛନ୍ତି ସରପଞ୍ଚ । ତେବେ ଯଥାଶୀଘ୍ର ଏହାର ମରାମତି କାର୍ଯ୍ୟ ଶେଷ ହେବ ଏବଂ ଜଳ ଯୋଗାଇ ଦିଆଯିବ । କିନ୍ତୁ ବର୍ତ୍ତମାନ ର ପରିସ୍ଥିତି ଯାହା ଅଞ୍ଚଳ ବାସୀଙ୍କୁ ଜଳ ନିହାତି ଆବଶ୍ୟକ ରହିଛି । ବିକଳ୍ପ ବ୍ୟବସ୍ଥା ପଚାରିବାରୁ ଗାଁରେ କୂଓ ଓ ନଳ କୂପ ଅଛି, ସେଥିରୁ କିଛି କିଛି ପାଣି ମିଳୁଥିବା ସେ ଉତ୍ତର ଦେଇଛନ୍ତି ।
ଝାରସୁଗୁଡାରୁ ଗୁରୁଚରଣ ବାଘ, ଇଟିଭି ଭାରତ