ଝାରସୁଗୁଡ଼ା: ନିର୍ବାଚନୀ ମୈଦାନକୁ ଓହ୍ଲାଇଲେ ହେଭିୱେଟ ନେତା । ଝାରସୁଗୁଡ଼ା ଜିଲ୍ଲା କିରମିରା ବ୍ଲକରେ ଜିଲ୍ଲା ପରିଷଦ ଆସନ ହାତେଇବା ପାଇଁ ଏବେ ବିଜେଡି-ବିଜେପିର ପ୍ରଚାର ଜୋର ଧରିଛି । ନିର୍ବାଚନ ତାରିଖ ଯେତେ ପାଖେଇ ଆସୁଛି, ଗାଁ ଗାଁରେ ପ୍ରଚାରର ଉଷ୍ମତା ବଢ଼ିବାରେ ଲାଗିଛି । ତ୍ରିସ୍ତରୀୟ ନିର୍ବାଚନକୁ ନେଇ ଏବେ ରାଜନୀତି ସରଗରମ ହେବାରେ ଲାଗିଛି ।
ଦଳୀୟ କର୍ମୀମାନେ ଦିନ ରାତି ଏକ କରି କୋଭିଡ କଟକଣା ମଧ୍ୟରେ ପ୍ରଚାର କରୁଛନ୍ତି । ତେବେ ନିର୍ବାଚନୀ ମଇଦାନରେ ହେଭିୱେଟ ନେତା ମଧ୍ୟ ଓହ୍ଲାଇଛନ୍ତି । କଂଗ୍ରେସର ଗଡ଼ କୁହାଯାଉଥିବା କିରମିରା ବ୍ଲକରେ ବିଜେପି ରାଜ୍ୟ ସମ୍ପାଦକ ଟଙ୍କଧର ତ୍ରିପାଠୀ ରାଜ୍ୟ ସରକାରକୁ ଟାର୍ଗେଟ କରି ପ୍ରଚାର ଚଲାଇ ଥିବାବେଳେ, ବିଜେଡି ତରଫରୁ ସ୍ବାସ୍ଥ୍ୟମନ୍ତ୍ରୀ ନବକିଶୋର ଦାସ ମୈଦାନକୁ ଓହ୍ଲାଇଛନ୍ତି ।
ସ୍ବାସ୍ଥ୍ୟ ମନ୍ତ୍ରୀ, ଜିଲ୍ଲା ପରିଷଦ ପ୍ରାର୍ଥିନୀ ରିତା ବାଗଙ୍କୁ ନେଇ କିରମିରା ବ୍ଲକରେ ପ୍ରଚାର କରୁଥିବା ଦେଖିବାକୁ ମିଳିଛି । ମୁଖ୍ୟମନ୍ତ୍ରୀଙ୍କ ଲୋକାଭିମୁଖୀ କାର୍ଯ୍ୟ ବାବଦରେ ଲୋକଙ୍କୁ ଅବଗତ କରାଇ ଭୋଟ ଭିକ୍ଷା କରିଛନ୍ତି । ସେପଟେ ବିଜେପି ପ୍ରଚାର ମୈଦାନକୁ ଓହ୍ଲାଇଛି । କିରମିରା ବ୍ଲକର ପୂର୍ବତନ ମୁଖ୍ୟମନ୍ତ୍ରୀ ହେମାନନ୍ଦ ବିଶ୍ବାଳଙ୍କ ପୁତୁରା ବୋହୂ ବିଜେପି ପକ୍ଷରୁ ଜିଲ୍ଲା ପରିଷଦ ଆସନ ପାଇଁ ଲଢ଼ୁଥିବା ଥିବାବେଳେ ଏଥର ବିଜେପି ନିଶ୍ଚିତ ଭାବରେ ବାନା ଉଡ଼ାଇ ଆସନ ହାତେଇବ ବୋଲି କହିଛନ୍ତି । କେନ୍ଦ୍ର ସରକାରଙ୍କ ଯୋଜନା ଏବଂ ଭୋଟରଙ୍କୁ ସମସ୍ତ ପ୍ରକାର ମୌଳିକ ସୁବିଧା ଯୋଗାଇ ଦେବା ଭଳି ମୁଦ୍ଦାକୁ ପାଥେୟ କରି ପ୍ରଚାର କରୁଛି ଦଳ ।
ତେବେ ଝାରସୁଗୁଡ଼ା ବିଧାୟକ ତଥା ସ୍ବାସ୍ଥ୍ୟମନ୍ତ୍ରୀ ନବ ଦାସ ଗତ ପଞ୍ଚାୟତ ନିର୍ବାଚନରେ କଂଗ୍ରେସର ମଙ୍ଗ ଧରି ୯ ରୁ ୮ଟି ଆସନ ହାତେଇ ଥିବାବେଳେ ଚଳିତ ନିର୍ବାଚନରେ ବିଜେଡିର ମଙ୍ଗ ଧରି ନିର୍ବାଚନ ମୈଦାନକୁ ଓହ୍ଲାଇଛନ୍ତି । ଏଥର କେତେ ଆସନ ହାତେଇବେ ସେ ଉପରେ ସମସ୍ତଙ୍କ ନଜର ।
ଝାରସୁଗୁଡ଼ାରୁ ଗୁରୁଚରଣ ବାଘ, ଇଟିଭି ଭାରତ