ଝାରସୁଗୁଡ଼ା : ବେସରକାରୀ ଅନୁଦାନ ଏବଂ ଅଣ ଅନୁଦାନପ୍ରାପ୍ତ ଶିକ୍ଷକ ସଂଘର ପଶ୍ଚିମ ଓଡିଶା ଶାଖା ପକ୍ଷରୁ ଝାରସୁଗୁଡ଼ା ପିକେଏସ୍ଏସ୍ ସ୍ନାତକ ମହାବିଦ୍ୟାଳୟରେ ଅନୁଷ୍ଠିତ ହୋଇଛି ଅଧ୍ୟାପକଙ୍କ ସମାବେଶ । ଏହି ସମାବେଶରେ ପଶ୍ଚିମ ଓଡ଼ିଶାର ବିଭିନ୍ନ ଜିଲ୍ଲାର ଅଧ୍ୟାପକ ଅଧ୍ୟାପିକାମାନେ ଯୋଗଦେଇ ବିଭିନ୍ନ ସମସ୍ୟା ଉପରେ ଆଲୋଚନା କରିଛନ୍ତି । ବିଶେଷକରି ଦୀର୍ଘ ବର୍ଷ ଧରି କାମ କରୁଥିବା ଅଧ୍ୟାପକଙ୍କୁ ଦରମା ଦେବାରେ ସରକାର ପକ୍ଷପାତିତା କରୁଥିବା ନେଇ ଉଦବେଗ ପ୍ରକାଶ ପାଇଥିଲା ।
ବିଭିନ୍ନ ସରକାରୀ ଓ ବେସରକାରୀ କଲେଜରେ କାର୍ଯ୍ୟରତ ଥିବା ଅଧ୍ୟାପକ ଅଧ୍ୟାପିକାମାନଙ୍କୁ ଯଥାକ୍ରମେ ୟୁଜିସି ଏବଂ ଷ୍ଟେଟ ସ୍କେଲରେ ଦରମା ମିଳୁଛି । ହେଲେ ସେହି କଲେଜରେ ଦୀର୍ଘ ବର୍ଷ ଧରି ସମାନ କାମ କରୁଥିବା ଅଧ୍ୟାପକଙ୍କୁ ମିଳୁଛି ୧୦ହଜାରରୁ ୧୨ ହଜାର ଟଙ୍କା । ସରକାର ଏଥିପ୍ରତି ଦୃଷ୍ଟି ଦେଇ ତୁରନ୍ତ ସମସ୍ୟାର ସମାଧାନ କରିବାକୁ ଦାବୀ କରିଛନ୍ତି ସଂଘର କର୍ମକର୍ତ୍ତା । ଉଚିତ୍ ଦରମା ସାଙ୍ଗକୁ ଏବଂ ଅନ୍ୟ ସରକାରୀ ଅଧ୍ୟାପକ ଅଧ୍ୟାପିକାଙ୍କୁ ମିଳୁଥିବା ସରକାରୀ ସୁବିଧା ଯୋଗାଇ ଦେବାକୁ ଦାବୀ କରିଛନ୍ତି । ରାଜ୍ୟ ସରକାର ଏଥିପ୍ରତି ଦୃଷ୍ଟି ନଦେଲେ ଆଗାମୀ ଦିନରେ ଆନ୍ଦୋଳନକୁ ଓହ୍ଲାଇବେ ବୋଲି ସଂଘ ପକ୍ଷରୁ ଚେତାବନୀ ଦିଆଯାଇଛି ।
ଇଟିଭି ଭାରତ, ଝାରସୁଗୁଡ଼ା