ଝାରସୁଗୁଡା: ପୁଣି ଥରେ ମହାରାଷ୍ଟ୍ର, ଗୁଜୁରାଟ ଏବଂ ଛତିଶଗଡରେ କୋରୋନା ସଂକ୍ରମଣ ଆରମ୍ଭ ହୋଇଯାଇଛି । ଏହାକୁ ଦୃଷ୍ଟିରେ ରଖି ଝାରସୁଗୁଡା ଜିଲ୍ଲା ପ୍ରଶାସନ ପୂର୍ବ କଟକଣା ଲାଗୁ କରିବା ପାଇଁ ପ୍ରସ୍ତୁତ ହୋଇସାରିଲାଣି ।
ଜିଲ୍ଲାର ସବୁ ଜନଗହଳିପୁର୍ଣ୍ଣ ସ୍ଥାନ, ବିମାନବନ୍ଦର, ରେଳ ଷ୍ଟେସନ, ବସଷ୍ଟାଣ୍ଡ ସହ ବିବାହ, ବ୍ରତ ଭଳି ସାମାଜିକ କାର୍ଯ୍ୟକ୍ରମ ଉପରେ ନଜର ରଖିବାକୁ 17ଟି ସ୍ୱତନ୍ତ୍ର ସ୍କ୍ୱାର୍ଡ ପ୍ରସ୍ତୁତ କରାଯାଇଛି । ଗତ 11 ମାସ ମଧ୍ୟରେ ଚଳିତ ସପ୍ତାହରେ 18 ତାରିଖ ଏବଂ ସୋମବାର ପ୍ରଥମଥର ପାଇଁ ଦୈନିକ କରୋନ ଆକ୍ରାନ୍ତଙ୍କ ତାଲିକାରେ ଝାରସୁଗୁଡା ସ୍ଥାନ ପାଇ ନାହିଁ । ତେଣୁ ଏହିଭଳି ସ୍ଥିତି ବଜାୟ ରଖିବାକୁ ଜିଲ୍ଲା ପ୍ରଶାସନ ପୋଲିସ ଓ ମାଜିଷ୍ଟ୍ରେଟଙ୍କୁ ନେଇ 17ଟି ସ୍ୱତନ୍ତ୍ର ସ୍କ୍ୱାର୍ଡ ଗଠନ କରି ବିଭିନ୍ନ ଜନଗହଳି ସ୍ଥାନଗୁଡିକରେ ଅତର୍କିତ ଚଢାଉ କରି ଆବଶ୍ୟକ ସ୍ଥଳେ ଫାଇନ୍ ଆଦାୟ ପାଇଁ କ୍ଷମତା ପ୍ରଦାନ କରିଛି ।
ଏଣିକି ମୁହଁରେ ମାସ୍କ, ସାନିଟାଇଜର ବ୍ୟବହର ସହ ସାମାଜିକ ଦୂରତା ରକ୍ଷା ନ କଲେ କଡା କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ଆଜି(ମଙ୍ଗଳବାର) ଜିଲ୍ଲାପାଳ ସରୋଜ ସାମଲ ଏକ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇ ସମସ୍ତେ ସତର୍କ ରହି ଜିଲ୍ଲା ପ୍ରଶାସନକୁ ସହଯୋଗ କରିବାକୁ ନିବେଦନ କରିଛନ୍ତି ।
ଝାରସୁଗୁଡାରୁ ରବି ନାରାୟଣ ସାହୁ, ଇଟିଭି ଭାରତ