ଯାଜପୁର: କୋରୋନା ଭ୍ୟାକ୍ସିନ ଆସିବା ପୂର୍ବରୁ ଆଜି(ଶନିବାର) ଯାଜପୁର ମୁଖ୍ୟ ଡାକ୍ତରଖାନା ପରିସରରେ ଡ୍ରାଏ ରନ ଆରମ୍ଭ ହୋଇଛି । ଭ୍ୟାକ୍ସିନ ଆସିବା ପରେ କେଉଁଠି ରଖାଯିବ କେଉଁଠି ଦିଆଯିବ ଓ କିପରି ରଖାଯିବ ସେ ନେଇ ଏକ ଅଭ୍ୟାସ ଆରମ୍ଭ ହୋଇଛି ।
ପ୍ରଥମ ପର୍ଯ୍ୟାୟରେ ଯେହେତୁ ସ୍ୱାସ୍ଥ୍ୟକର୍ମୀ ଏହି ଟୀକା ନେବେ ସେଥିପାଇଁ ସେମାନଙ୍କର ପଞ୍ଜିକରଣ କାର୍ଯ୍ୟ ସରିଯାଇଛି । କୋରୋନା ଟୀକା ନେବା ପୂର୍ବରୁ ପ୍ରଥମେ ସେମାନଙ୍କୁ ନିଜ ପରିଚୟ ପତ୍ର ଦେଖାଇ ପଞ୍ଜିକରଣ କରିବାକୁ ପଡିବ ।
ଏହା ପରେ ନିଜର ସଂପୂର୍ଣ୍ଣ ସ୍ୱାସ୍ଥ୍ୟ ପରୀକ୍ଷାନିରୀକ୍ଷା କରାଯିବା ସହିତ କୋରୋନା ଟୀକା ନେବା ପାଇଁ ଇଛା ପ୍ରକାଶ କରିବା ପରେ ତାଙ୍କୁ ଏହି ଟୀକା ପ୍ରଦାନ କରାଯିବ । ଟୀକା ନେବାର ୩୦ ମିନିଟ୍ ପର୍ଯ୍ୟନ୍ତ ପ୍ରତିକ୍ଷା ଗୃହରେ ଅପେକ୍ଷା କରି ତାଙ୍କର ସ୍ୱାସ୍ଥ୍ୟବସ୍ଥା ସଂପର୍କରେ ଅନୁଧ୍ୟାନ କରାଯିବ । ଏହି ଟିକା ଜିଲ୍ଲାର ପ୍ରତ୍ୟେକ ବ୍ଳକ ସ୍ତରରେ ମଧ୍ୟ ଦିଆଯିବ ବୋଲି ଯାଜପୁର ସିଡିଏମଓ ସୂଚନା ଦେଇଛନ୍ତି ।
ଯାଜପୁରରୁ ଜ୍ଞାନ ରଞ୍ଜନ ଓଝା, ଇଟିଭି ଭାରତ