ଯାଜପୁର: ଆଜି ହେଉଛି ପବିତ୍ର ମହାଳୟା । ଏହି ଅବସରରେ ପିତୃପୁରୁଷଙ୍କୁ ପିଣ୍ଡଦାନ କରିବାର ସ୍ୱତନ୍ତ୍ର ପରମ୍ପରା ରହିଛି । ବିଶେଷକରି ଆଜିର ଦିନରେ ପିଣ୍ଡଦାନ କଲେ ପିତୃପୁରଷଙ୍କ ମୋକ୍ଷ ଲାଭ ହୋଇଥାଏ ବୋଲି ବିଶ୍ୱାସ ରହିଛି । ଏଥିପାଇଁ ଆଜି ଯାଜପୁରର ଅଧିଷ୍ଠାତ୍ରୀ ଦେବୀ ମା’ ବିରଜା ପୀଠରେ ଥିବା ନାଭିଗୟାରେ ପିଣ୍ଡଦାନ ପାଇଁ ଶ୍ରଦ୍ଧାଳୁଙ୍କ ଭିଡ ଦେଖିବାକୁ ମିଳିଛି ଦୂରଦୂରାନ୍ତରୁ ଶ୍ରଦ୍ଧାଳୁ ମାନେ ଆସି ପିତୃପୁରୁଷଙ୍କୁ ନାଭିଗୟାରେ ପିଣ୍ଡଦାନ ଦେଇଛନ୍ତି । ସେପଟେ ଶାରଦୀୟ ଦୁର୍ଗାପୂଜା ପାଇଁ ମନ୍ଦିର ପରିସର ହୋଇ ଉଠିଛି ଚଳଚଞ୍ଚଳ। ଚଳିତବର୍ଷ ଆଜି (ବୁଧବାର) ସନ୍ଧ୍ୟା ଠାରୁ ମା’ଙ୍କ ଚଳନ୍ତି ପ୍ରତିମା ରଥାରୂଢ଼ ହେବା ପରେ ମନ୍ଦିର ପରିକ୍ରମା କରିବେ। ଏଥିପାଇଁ ମନ୍ଦୀର ପ୍ରଶାସନ ପକ୍ଷରୁ କୋଭିଡ କଟକଣା ସହିତ ପରମ୍ପରାକୁ ପାଳନ କରିବାକୁ ବ୍ୟବସ୍ଥା କରାଯାଇଛି ।
ବିରଜା ମନ୍ଦୀର ନାଭିଗୟା ପୀଠରେ ପିଣ୍ଡଦାନ କଲେ ପିତୃପୁରୁଷଙ୍କୁ ସ୍ୱର୍ଗପ୍ରାପ୍ତି ହୋଇଥାଏ ବୋଲି ବିଶ୍ୱାସ ରହିଛି । ଏଥିପାଇଁ ଆଜି(ବିଧବାର) ସକାଳୁ ସକାଳୁ ଜିଲ୍ଲା ଓ ରାଜ୍ୟ ବାହାରୁ ହଜାର ହଜାର ଶ୍ରଦ୍ଧାଳୁ ପିଣ୍ଡଦାନ କରି ମା’ ବିରଜାଙ୍କୁ ଦର୍ଶନ କରିଛନ୍ତି । ଏଭଳି ତିଥିରେ ପିଣ୍ଡଦାନ କରି ଶ୍ରଦ୍ଧାଳୁ ନିଜକୁ ଭାଗ୍ୟବାନ ମନେ କରିଛନ୍ତି ।
ପିତୃପୁରୁଷଙ୍କୁ ପିଣ୍ଡଦାନର ପରମ୍ପରା ରହି ଆସିଛି ଆବାହନକାଳରୁ । କିନ୍ତୁ, ମହାଳୟା ତିଥିରେ ଓ ନାଭିଗୟାରେ ପିଣ୍ଡଦାନ ନେଇ ରହିଛି ଅନେକ ପୌରାଣିକ ମତ । ସେଥିପାଇଁ ନାଭିଗୟାରେ ପିଣ୍ଡଦାନ ପାଇଁ କାହିଁ କେତେ ଦୂରରୁ ଛୁଟିଆସନ୍ତି ଶ୍ରଦ୍ଧାଳୁ । ସେପଟେ ଶାରଦୀୟ ଦୁର୍ଗାପୂଜା ପାଇଁ ମା’ଙ୍କ ମନ୍ଦିରରେ ସୃଷ୍ଟି ହୋଇଛି ଭକ୍ତିମୟ ପରିବେଶ । ମା’ଙ୍କ ପୀଠରେ ରଥଯାତ୍ରାର ପରମ୍ପରା ସ୍ୱତନ୍ତ୍ର । ପ୍ରତିପଦ ଠାରୁ ମା’ଙ୍କ ରଥଯାତ୍ରାର ଆରମ୍ଭ ହେବାର ପରମ୍ପରା ରହିଛି । ଅପରାହ୍ନରେ ରଥ ପ୍ରତିଷ୍ଠା ହେବା ପରେ ମା’ଙ୍କ ଚଳନ୍ତି ପ୍ରତିମା ରଥାରୂଢ ହୋଇ ରଥ ପୂଜା ନୀତି ଅନୁଷ୍ଠିତ ହୋଇଥିଲା ।
ଆସନ୍ତାକାଲି ଠାରୁ ମା’ଙ୍କ ରଥ ପ୍ରତିଦିନ ମନ୍ଦିର ଚତୁଃପାର୍ଶ୍ବ ପରିକ୍ରମା କରିବ । କିନ୍ତୁ, ଚଳିତ ବର୍ଷ କୋରନା କଟକଣା ପାଇଁ କେବଳ ସେବାୟତ ଓ ପୋଲିସ ରଥ ଟାଣିବାକୁ ନିଷ୍ପତ୍ତି ନେଇଛି ଜିଲ୍ଲା ପ୍ରଶାସନ। ରଥଟଣା ସମୟରେ ମନ୍ଦିର ଚାରିପଟେ ୧୪୪ ଧାରା ଜାରି କରାଯିବ।
ଯାଜପୁରରୁ ଜ୍ଞାନ ରଞ୍ଜନ ଓଝା, ଇଟିଭି ଭାରତ