ଯାଜପୁର: ପିଲାଟି ଦିନରୁ ବିଜ୍ଞାନ ପ୍ରତି ଥିଲା ଅହେତୁକ ଦୁର୍ବଳତା । କିଛି ନୂଆ କରିବାର ଥିଲା ଆଶା । ଛୋଟବେଳୁ ଥିବା ଦୃଢ ଇଚ୍ଛାଶକ୍ତି ବଡ ହେଲା ପରେ ନେଇଥିଲା ରୂପରେଖ ।
ପିଲାବେଳୁ ଦେଖିଥିଲେ ନିଜ ଗାଁରେ ଦୃଷ୍ଟିହୀନଙ୍କ ଦୁର୍ଦ୍ଦଶା । ସେମାନଙ୍କ ପାଇଁ କିଛି କରିବାର ନେଇଥିଲେ ନିଷ୍ପତ୍ତି । ଆଉ ତିଆରି କଲେ ଏକ ଚଷମା । ଯାହା ଦିବ୍ୟାଙ୍ଗଙ୍କୁ ଫେରାଇ ପାରିବନି ଦୃଷ୍ଟିଶକ୍ତି କିନ୍ତୁ ସାଜିଛି ସେମାନଙ୍କ ଆଶାବାଡି । ନିଜ ବିଜ୍ଞାନ ଶିକ୍ଷକଙ୍କ ସହାୟତାରେ ପାଇଛନ୍ତି ସଫଳତା । ଆମେ କହୁଛୁ ଯାଜପୁର ପ୍ରହ୍ଲାଦ ଚନ୍ଦ୍ର ବ୍ରହ୍ମଚାରୀ ବିଦ୍ୟାଳୟର ଅଷ୍ଟମ ଶ୍ରେଣୀ ଛାତ୍ର ପ୍ରିୟବତ ସାହୁଙ୍କ କାହାଣୀ । କେନ୍ଦ୍ର ସରକାରଙ୍କ ଅଟଳ ଟିଙ୍କରିଂ ଲ୍ୟାବ ଦ୍ବାରା ପ୍ରିୟବ୍ରତ ବନାଇଛନ୍ତି ଏହି ଚଷମା ।
ଚଷମା ପିନ୍ଧିଲେ ଦୃଷ୍ଟିହୀନ ଆଗାମୀ ବିପଦ ସମ୍ପର୍କରେ ଜାଣିପାରିବେ । ଏଥିରେ ଲାଗିଛି ଏକ ବଜର । ଆଗରେ ଥିବା ଜିନିଷ ବିଷୟରେ ଏହା ବାଜିବା ସହ ସତର୍କ କରାଇବ । ସେହିପରି ଶ୍ରବଣଶକ୍ତି ହରାଇଥିବା ଲୋକଙ୍କ ଲାଗି ସାଜିବ ଭାଇବ୍ରେଟ । ସମ୍ଭାବ୍ୟ ବିପଦ ସଂସ୍ପର୍ଶରେ ଆସିଲେ ଏହା ଥରିଉଠିବ । ଛୋଟ ପିଲାଟିର ଏପରି ସଫଳତା ନିଶ୍ଚିତ କେନ୍ଦ୍ର ସରକାରଙ୍କୁ ଆତ୍ମସନ୍ତୋଷ ଦେବ । ତେବେ ପରିବାର ପକ୍ଷରୁ ପିଲାଟିକୁ ସରକାରୀ ସହାୟତା ଲାଗି ଦାବି ହୋଇଛି ।
ଆଧୁନିକ ଯୁଗରେ ବିଜ୍ଞାନର ଅପବ୍ୟବହାର ହେଉଥିବାବେଳେ, ପିଲାଟି ମାନବିକତା ଉଦ୍ଦେଶ୍ୟରେ ଏହାକୁ ବ୍ୟବହାର କରିବା ନିଶ୍ଚିତ ପ୍ରଶଂସନୀୟ ।
ଯାଜପୁରରୁ ଜ୍ଞାନରଞ୍ଜନ ଓଝା, ଇଟିଭି ଭାରତ