ଯାଜପୁର: ବ୍ୟାସନଗର ସ୍ବୟଂଶାସିତ ମହାବିଦ୍ୟାଳୟର ଯୁକ୍ତ ୩ ଶେଷ ବର୍ଷର ପରୀକ୍ଷା ଫଳ ପ୍ରକାଶ ପାଇଛି । କଳାରେ ପାସ୍ ହାର ୯୩.୧୦ ପ୍ରତିଶତ ହୋଇଥିବା ବେଳେ ବିଜ୍ଞାନରେ ୯୪.୧୧ ପ୍ରତିଶତ ଏବଂ ବାଣିଜ୍ୟରେ ପାସ୍ ହାର ରହିଛି ୮୮.୧୨ ପ୍ରତିଶତ । କଳାରେ ସଂସ୍କୃତ ସମ୍ମାନ ଛାତ୍ରୀ ପଦ୍ମିନୀ ସ୍ବାଇଁ, ବିଜ୍ଞାନରେ ଉଦ୍ଭିଦ ବିଜ୍ଞାନର ସମ୍ମାନ ଛାତ୍ରୀ ସବିତା ସେନାପତି ଓ ବାଣିଜ୍ୟ ବିଭାଗର ଛାତ୍ରୀ ଜସ୍ମିନ୍ ସାହୁ କଲେଜ ଟପ୍ପର ହୋଇଛନ୍ତି ।
କୋଭିଡ୍ କଟକଣା ମଧ୍ୟରେ ପରୀକ୍ଷା ଦେଇ ଏହି ଛାତ୍ରଛାତ୍ରୀ ମାନେ କୃତିତ୍ବ ଅର୍ଜନ କରିଥିବାରୁ ମହାବିଦ୍ୟାଳୟର ଅଧ୍ୟକ୍ଷ ଶିବ ଚରଣ ମାଝୀ ସେମାନଙ୍କୁ ଶୁଭେଚ୍ଛା ଜଣାଇଛନ୍ତି । କୋଭିଡ୍ ସମୟରେ ବହୁ ଅସୁବିଧା ସତ୍ତ୍ବେ ମହାବିଦ୍ୟାଳୟର ଛାତ୍ରଛାତ୍ରୀ ପରୀକ୍ଷାରେ କୃତକାର୍ଯ୍ୟ ହାସଲ କରି ମହାବିଦ୍ୟାଳୟର ଗୌରବ ରଖିଛନ୍ତି ବୋଲି ପରୀକ୍ଷା ନିୟନ୍ତ୍ରକ ଡଃ ବିନୋଦ ବିହାରୀ ସାହୁ କହିଛନ୍ତି ।
ମହାବିଦ୍ୟାଳୟ ଅଧ୍ୟକ୍ଷ ଶ୍ରୀ ମାଝୀ ଆଜି (ଗୁରୁବାର) ଏକ ପ୍ରେସ୍ ବିଜ୍ଞପ୍ତି ଜରିଆରେ ପରୀକ୍ଷା ଫଳାଫଳ ଘୋଷଣା କରିଛନ୍ତି । ଏଥିରେ ମହାବିଦ୍ୟାଳୟର ଅନ୍ୟ ଅଧ୍ୟାପକ ଅଧ୍ୟାପିକା ମାନେ ଉପସ୍ଥିତ ରହିଥିଲେ । ସେପଟେ କୋଭିଡ୍ କଟକଣା ଯୋଗୁଁ ଫଳ ପ୍ରକାଶ ପାଇବା ସମୟରେ କୌଣସି ଛାତ୍ରଛାତ୍ରୀ ଉପସ୍ଥିତ ନଥିଲେ । ତେବେ ଛାତ୍ରଛାତ୍ରୀଙ୍କ ଅବଗତି ନିମନ୍ତେ ପରୀକ୍ଷା ଫଳକୁ ଅନଲାଇନରେ ଛଡାଯାଇଥିବା ମହାବିଦ୍ୟାଳୟ ପକ୍ଷରୁ କୁହାଯାଇଛି ।
ଯାଜପୁରରୁ ଜ୍ଞାନରଞ୍ଜନ ଓଝା, ଇଟିଭି ଭାରତ