ଯାଜୁପର: ପଶ୍ଚିମ ଓଡିଶାର ନୂଆଖାଇ ପରି ଉପକୂଳ ଓଡିଶାରେ ରଜପର୍ବ ହେଉଛି ଏକ ମୁଖ୍ୟ ପର୍ବ । ରାଜ୍ୟର କୋଣଅନୁକୋଣରେ ପାଳିତ ହୁଏ ଏହି ଉତ୍ସବ । ଠିକ୍ ଏତିକି ବେଳେ ଯାଜପୁରର ଶ୍ରୀବନ୍ତପୁର ଓ ତା’ର ଆଖପାଖ ଅଞ୍ଚଳରେ ପାଳିତ ହୁଏ ରାମରଜା ପର୍ବ । କୋଭିଡ୍ ଯୋଗୁଁ ଗତ ଦୁଇବର୍ଷ ହେବ ପାଳନ ହୋଇପାରିନଥିଲା ଏହି ପାରମ୍ପରିକ ପର୍ବ । ଏବର୍ଷ ଧୂମଧାମରେ ପାଳିତ ହୋଇଛି ରାମରଜା ପର୍ବ । ପ୍ରଭୁ ଶ୍ରୀରାମଙ୍କ ରାଜାଭିଷେକ କରାଯାଇ ମଣ୍ଡପ ମାନଙ୍କରେ ଚାଲିଛି ପୂଜାର୍ଚ୍ଚନା । ପ୍ରାୟ 8ଟି ମଣ୍ଡପରେ ରାମଚନ୍ଦ୍ର ମହାପ୍ରଭୁଙ୍କ ସହ ଦେବୀ ସୀତା, ଭ୍ରାତା ଲକ୍ଷ୍ଣଣ ଓ ଭକ୍ତ ହନୁମାନଙ୍କ ମାଟିମୂର୍ତ୍ତି ପୂଜା ପାଉଛନ୍ତି । ଝିଅମାନେ ରଜଦୋଳି ଖେଳିବା ସହିତ ରାମରଜା ବୁଲି ଉତ୍ସବର ମଜା ନେଉଛନ୍ତି । ନଦୀକୂଳ ପରିବେଶରେ ରାମରଜା ଦେଖିବାକୁ ବେଶ୍ ଭିଡ ଜମୁଛି ।
1905 ମସିହାରେ ଶ୍ରୀବନ୍ତପୁର ମଝିସାହିରେ ଆରମ୍ଭ ହୋଇଥିଲା ରାମରଜା ପର୍ବ । ଦୀର୍ଘ 117 ବର୍ଷ ଧରି ପାଳିତ ହେଉଥିବା ଏହି ଉତ୍ସବ ପାଳନର ପୃଷ୍ଠଭୂମି କିଛି ନିଆରା । ସେତେବେଳେ ବ୍ରିଟିଶ ଶାସନ କାଳରେ ଗାଁର କିଛି ଲୋକ ସୁଦୂର କଲିକତାରେ ଶ୍ରମକାର୍ଯ୍ୟ କରୁଥିଲେ । ଥରେ କେତେକ ଶ୍ରମିକ କଲିକତାର ରାମରଜା ତଲାକୁ ଠାକୁର ଦେଖି ଯାଇଥିଲେ । ଅଜାଣତରେ ସେଠାରେ ଥିବା ଏକ ନିଷିଦ୍ଧ ଅଞ୍ଚଳରେ ସେମାନେ ପ୍ରବେଶ କରି ବ୍ରିଟିଶ ପୋଲିସର ନଜରରେ ପଡିଥିଲେ । ବ୍ରିଟିଶ ବାଲାଙ୍କ କଠୋର ଦଣ୍ଡବିଧାନ ଭୟରେ ଏହି ଓଡିଆ ଶ୍ରମିକ ମାନେ ଭୟଭୀତ ହୋଇପଡିଥିଲେ । ସେହି ମୁହୂର୍ତ୍ତରେ ସେମାନେ ପ୍ରଭୁ ଶ୍ରୀରାମଙ୍କୁ ସ୍ମରଣ କରି ଏହି ବିପଦରୁ ଉଦ୍ଧାର ପାଇଥିଲେ । ମାନସିକ ରକ୍ଷା କରି ସେଠାରୁ ମାଟି ଆଣି ସେହି ବର୍ଷ ଠାରୁ ଗାଁରେ ଆରମ୍ଭ କରିଥିଲେ ରାମରଜା ପର୍ବ । ପରେ ଏହା ଆଖପାଖ ଗାଁକୁ ବ୍ୟାପିବା ସହ ଏକ ବିରାଟ ମହୋତ୍ସବରେ ପରିଣତ ହୋଇଛି ।
ବ୍ରାହ୍ମଣୀ ଶାଖା ଖରସ୍ରୋତା ନଦୀତଟରେ ଚାଲିଛି ରାମରଜା ପର୍ବ । ପ୍ରତିବର୍ଷ ଏଥିପାଇଁ ଏହି ନଦୀକୂଳ ଅଞ୍ଚଳ ରଜ ତିନିଦିନ ହୋଇଉଠେ ଉତ୍ସବ ମୁଖର । ଏହି ସମୟରେ ପ୍ରଭୁ ଶ୍ରୀରାମଙ୍କୁ ପୂଜାର୍ଚ୍ଚନା କଲେ ଚତୁଃବର୍ଗ ଫଳପ୍ରାପ୍ତି ହୁଏ ବୋଲି ବିଶ୍ବାସ ରହିଛି । ବଙ୍ଗୀୟ ଠାଣି ଏବଂ ବୈଦିକ ରୀତିନୀତିରେ ପ୍ରଭୁ ଶ୍ରୀରାମଙ୍କ ରାଜାଭିଷେକ କରାଯାଇ ରାମ, ଲକ୍ଷ୍ଣଣ, ସୀତା ଓ ହନୁମାନଙ୍କର ଯଥାବିଧି ପୂଜାର୍ଚ୍ଚନା କରାଯାଉଛି । ପ୍ରଥମେ ଶ୍ରୀବନ୍ତପୁର ଗାଁର ମଝିସାହିରୁ ଆରମ୍ଭ ହୋଇଥିବା ଏହି ରାମରଜା ଉତ୍ସବ ଏବେ ଆଖପାଖ ଅଞ୍ଚଳକୁ ବ୍ୟାପିଛି । ଶ୍ରୀବନ୍ତପୁର, ବାରଡାଙ୍ଗୀ, ଭଗତଭଗବାନପୁର, ଆନନ୍ଦବଜାର, ବାଗଡିଆଁ ପ୍ରଭୃତି 8ଟି ସ୍ଥାନରେ ପାଳିତ ହେଉଛି ଏହି ନିଆରା ପର୍ବ । ସତରେ ରଜ ସାଙ୍ଗକୁ ରାମରଜା ପର୍ବ ବେଶ ଜମୁଛି । ଝିଅ-ବୋହୂ ଓ ତରୁଣ-ତରୁଣୀ ରାମରଜା ବୁଲି ରଜର ମଜା ନେଉଛନ୍ତି । ରଜ ତିନିଦିନ ଚାଷୀ ବନ୍ଦ ରଖିଥାନ୍ତି ଚାଷକାମ । ଶେଷ ରଜ ପରଦିନ ଠାକୁର ପାଣିକୁ ଯାଆନ୍ତି ଏବଂ ଚାଷୀ ବସୁମତି ଗାଧୁଆ ପରେ ମାଟି ମା’ର ପୂଜା କରିଥାନ୍ତି । ଏହାପରେ ଚାଷୀ ଆରମ୍ଭ କରିଥାଏ ତା’ର ଚାଷ କାର୍ଯ୍ୟ ।
ଇଟିଭି ଭାରତ, ଯାଜପୁର