ଯାଜପୁର: ସ୍ୱାବ ଟେଷ୍ଟ ପାଇଁ ଯାଇଥିବା ମେଡିକାଲ କର୍ମଚାରୀଙ୍କୁ ନିସ୍ତୁକ ମାଡ । ଏପରି ଅଭାବନୀୟ ଘଟଣା ଘଟିଛି ଦଶରଥପୁର ବ୍ଲକ କସପା ପଞ୍ଚାୟତରେ । ତେବେ ଏନେଇ ଥାନାରେ ଅଭିଯୋଗ ହେବା ପରେ ଜଣକୁ ଗିରଫ କରିଛି ପୋଲିସ ।
ଅଭିଯୋଗ ମୁତାବକ ମଙ୍ଗଳପୁର ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ପକ୍ଷରୁ ଦଶରଥପୁର ବ୍ଲକ କସପା ପଞ୍ଚାୟତବାସୀଙ୍କ ପାଇଁ ପଞ୍ଚାୟତସ୍ଥିତ ବ୍ରହ୍ମଚାରୀ ପାଟଣା ଉପ୍ରା ବିଦ୍ୟାଳୟରେ ସ୍ୱାବ ନମୁନା ପରୀକ୍ଷାର ବ୍ୟବସ୍ଥା ହୋଇଥିଲା । ନିର୍ଦ୍ଧାରିତ ସମୟ ପରେ ଦୁଇ ଜଣ ମହିଳା ସ୍ୱାବ ପରୀକ୍ଷା ପାଇଁ ଗାଡି ଅଟକାଇବାରୁ ସେମାନଙ୍କୁ ଆସନ୍ତାକାଲି ମଙ୍ଗଳପୁର ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରକୁ ଆସିବାକୁ ପରାମର୍ଶ ଦିଆଯାଇଥିଲା । ତେବେ ଏହି ସମୟରେ ୩ ରୁ ୪ ଜଣ ସ୍ଥାନୀୟ ବ୍ୟକ୍ତି ଗାଡି ସମ୍ମୁଖକୁ ଆସି ଗାଡିର ଚାଳକ ଓ ଗାଡି ଭିତରେ ବସିଥିବା ସ୍ୱାସ୍ଥ୍ୟ କର୍ମଚାରୀଙ୍କୁ ଅଶାଳୀନ ଭାଷାରେ ଗାଳିଗୁଲଜ କରିବା ସହ ଗାଡି ଭିତରୁ ଟାଣିଆଣି ନିସ୍ତୁକ ମାଡ ମାରିଥିଲେ ।
ଏ ସମ୍ପର୍କରେ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରର ସ୍ୱାସ୍ଥ୍ୟାଧିକାରୀ ଉମାକାନ୍ତ ମଲ୍ଲିକଙ୍କ ପରାମର୍ଶ କ୍ରମେ ଡାକ୍ତର ଜୟ ପ୍ରକାଶ ମିଶ୍ର ମଙ୍ଗଳପୁର ଥାନାରେ ଲିଖିତ ଅଭିଯୋଗକରି କାର୍ଯ୍ୟାନୁଷ୍ଠାନ ଦାବି କରିଥିଲେ । ଅଭିଯୋଗକୁ ଆଧାର କରି ପୁଲିସ୍ ବୁଦ୍ଧଦେବ ବେହେରା ନାମକ ଜଣେ ଆକ୍ରମଣକାରୀକୁ ଗିରଫ୍ କରି କୋର୍ଟଚାଲାଣ କରିଥିବା ସୂଚନା ମିଳିଛି ।
ଯାଜପୁରରୁ ଜ୍ଞାନ ରଞ୍ଜନ ଓଝା, ଇଟିଭି ଭାରତ