ଯାଜପୁର: ନାନା ସମସ୍ୟାରେ ଛନ୍ଦି ହୋଇପଡ଼ିଛି ଯାଜପୁର ଜିଲ୍ଲା ଡାକ୍ତରଖାନା । ଏ ହସ୍ପିଟାଲରେ ଦୀର୍ଘଦିନ ହେବ ଖାଲିପଡ଼ିଛି ଡାକ୍ତରଙ୍କ ପଦବୀ । ଫଳରେ ରୋଗୀ ଚିକିତ୍ସାରେ ନାନା ଅସୁବିଧା ଉପୁଜିଛି । ସବୁଠି ବଡ଼ କଥା ହେଲା ଏଠାକୁ ଆସୁଥିବା ଗର୍ଭବତୀଙ୍କୁ ମଧ୍ୟ ଚିକିତ୍ସାର ସୁବିଧା ମିଳୁନି ।
ଏନେଇ ବାରମ୍ବାର ଅଭିଯୋଗ ହେଉଥିଲେ ମଧ୍ୟ କୌଣସି ପଦକ୍ଷେପ ନିଆଯାଉ ନାହିଁ । ତେଣୁ ଯାଜପୁର ଜିଲ୍ଲା ମୁଖ୍ୟ ଡାକ୍ତରଖାନାରେ ଲାଗି ରହିଥିବା ବିଭିନ୍ନ ସମସ୍ୟାର ସ୍ଥାୟୀ ସମାଧାନ ଦାବିରେ ଯୁବ କଂଗ୍ରେସ ପକ୍ଷରୁ ଏକ ଦାବିପତ୍ର ଜିଲ୍ଲା ଯୁବ କଂଗ୍ରେସ ସଭାପତି ସନ୍ତୋଷ ବେହେରାଙ୍କ ନେତୃତ୍ୱରେ ଦିଆଯାଇଛି ।
ଏକ ପ୍ରତିନିଧି ଦଳ ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀ ଓ ଅତିରିକ୍ତ ଜିଲ୍ଲାପାଳ ଅକ୍ଷୟ କୁମାର ମଲ୍ଲିକଙ୍କୁ ଦାବିପତ୍ର ଦେଇଛନ୍ତି । ଖାଲି ପଡ଼ିଥିବା ପଦବୀ ପୂରଣ ସହିତ ଗର୍ଭବତୀଙ୍କୁ ଉନ୍ନତମାନର ଚିକିତ୍ସାର ସୁବିଧା ଯୋଗାଇ ଦେବାକୁ ଦାବି ହେଉଛି । ତେଣୁ ତୁରନ୍ତ ଏହି ସମସ୍ୟାର ସମାଧାନ କରିବାକୁ ଦାବି କରିଛି ଯୁବ କଂଗ୍ରେସ । ନଚେତ୍ ଆଗାମୀ ଦିନରେ ତୀବ୍ରତର ଆନ୍ଦୋଳନ କରାଯିବ ବୋଲି ଦିଆଯାଇଛି ଚେତାବନୀ ।
ଇଟିଭି ଭାରତ, ଯାଜପୁର