ଯାଜପୁର: ଯାଜପୁର ଟାଉନ ଓ ଯାଜପୁର ରୋଡକୁ ସୋମବାର ଠାରୁ ଲକ୍ ଡାଉନ କରାଯାଇଛି । ଏହି ଲକ୍ ଡାଉନକୁ କଡାକଡି କରିବା ପାଇଁ ଏହି 2ଟି ସହରର ବିଭିନ୍ନ ସ୍ଥାନକୁ ନାକାବନ୍ଦି କରାଯାଇଛି । ଟାଉନ ମଧ୍ୟକୁ ପ୍ରବେଶ କରୁଥିବା ଗାଡି ଗୁଡିକୁ ଯାଞ୍ଚ କରାଯିବା ସହ ଅତି ଜରୁରୀ ଥିବା ଲୋକଙ୍କୁ ଛଡା ଯାଉଛି । ସେହିପରି ବାହାର ଜିଲ୍ଲାରୁ ଆସୁଥିବା ଲୋକମାନଙ୍କ ଉପରେ ତୀକ୍ଷ୍ମ ନଜର ରଖାଯାଇଛି ।
କୋରୋନା ଭାଇରସ ସଂକ୍ରମଣର ମୁକାବିଲା ପାଇଁ ରାଜ୍ୟ ସରକାର ଲକ ଡାଉନ ନିଷ୍ପତ୍ତି ନେଇଥିବା ବେଳେ ଯେଉଁମାନେ ଏହି ନିଷ୍ପତ୍ତିକୁ ଉଲ୍ଲଙ୍ଘନ କରିବେ ସେମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନେବାକୁ ଜିଲ୍ଲାପାଳ ନିର୍ଦ୍ଦେଶ ଦେଇଛନ୍ତି । ଏପରିକି ଜିଲ୍ଲାପାଳ ଓ ଏସପି ସହର ପରିକ୍ରମା କରି ଲୋକମାନଙ୍କୁ ଅଯଥା ବାହାରେ ବୁଲାବୁଲି ନ କରିବାକୁ ପରାମର୍ଶ ଦେଇଛନ୍ତି ।
ସେହିପରି ଆସନ୍ତାକାଲି ଠାରୁ ସ୍ବାସ୍ଥ୍ୟ ସଚିବ ଜିଲ୍ଲାରେ ରହିବାକୁ ଥିବାରୁ ଲୋକମାନେ ନିୟମକୁ ମାନିବାକୁ ଜିଲ୍ଲାପାଳ ନିର୍ଦ୍ଦେଶ ଦେଇଛନ୍ତି । ଅନ୍ୟପଟେ ଜିଲ୍ଲାପାଳ 2ଟି ସହରର ବ୍ୟବସାୟୀ ସଂଘ, ବସ ଓ ଟ୍ରକ ମାଲିକ ସଂଘ, ବଣିକ ସଂଘର ସଦସ୍ୟମାନଙ୍କୁ ଜରୁରୀ ବୈଠକ ଡାକି ଲକ୍ ଡାଉନ ପାଳନ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି । ସୂଚନାଯୋଗ୍ୟ, ହୋମ କ୍ବାରେଣ୍ଟାଇନକୁ ନମାନିବାରୁ ଜଣଙ୍କ ବିରୋଧରେ ପୋଲିସ ପକ୍ଷରୁ କାର୍ଯ୍ୟାନୁଷ୍ଠାନ ନିଆଯାଇଛି ।
ଯାଜପୁରରୁ ଜ୍ଞାନ ରଞ୍ଜନ ଓଝା, ଇଟିଭି ଭାରତ