ଯାଜପୁର: ଗତକାଲି ଠାରୁ ଯାଜପୁର ଜିଲ୍ଲାରେ ପ୍ରବଳ ବର୍ଷା ଲାଗି ରହିଛି । ଫଳରେ ସାଧାରଣ ଜୀବନ ଯାତ୍ରା ପ୍ରଭାବିତ ହୋଇଛି । ବର୍ଷା ଯୋଗୁଁ ସାଧାରଣ ଲୋକେ ନାହିଁ ନଥିବା ଅସୁବିଧା ଭୋଗୁଛନ୍ତି । ତଳିଆ ଅଞ୍ଚଳରେ ବର୍ଷା ପାଣି ଜମି ରହିବା ଫଳରେ ଯାତାୟତ କରିବାକୁ ନେଇ ଲୋକେ ଅସୁବିଧାର ସମ୍ମୁଖୀନ ହେଉଛନ୍ତି।
ଅତି ଜରୁରୀ କାମ ଥିବାରୁ ଲୋକେ ରେନିକୋଟ କିମ୍ବା ଛତା ଧରି ଘରୁ ବାହାରୁଥିବା ଦେଖିବାକୁ ମିଳିଛି । ବର୍ଷା ଯୋଗୁଁ ସ୍କୁଲ ଓ କଲେଜରେ ଛାତ୍ର ଉପସ୍ଥାନ ମଧ୍ୟ କମିଥିବା ଲକ୍ଷ୍ୟ କରାଯାଇଛି । ଏହି ବର୍ଷା ଆଗାମୀ ଦିନେ ଦୁଇ ଦିନ ଧରି ଲାଗି ରହିବ ବୋଲି ପାଣିପାଗ ବିଭାଗ ଆକଳନ କରିଛି ।
ଯାହାକୁ ନେଇ ଚିନ୍ତାରେ ସାଧାରଣ ଲୋକେ । ବର୍ଷା ପାଇଁ ଅତି ଜରୁରୀ ସାମଗ୍ରୀ କିଣି ନେଇ ଲୋକେ ଘରେ ରଖୁଥିବା ଲକ୍ଷ୍ୟ କରାଯାଇଛି । ତେବେ ଦୁଇଦିନ ଧରି ଲଗାଣ ବର୍ଷା ଯୋଗୁଁ ବ୍ୟାସନଗର ପୌରାଞ୍ଚଳର ବିଭିନ୍ନ ୱାର୍ଡରେ ଡ୍ରେନେଜ ସମସ୍ୟା ଯୋଗୁଁ ଲୋକଙ୍କ ଘରେ ବର୍ଷା ପାଣି ପଶିଥିବା ଜଣାପଡିଛି ।
ଯାଜପୁରରୁ ଜ୍ଞାନରଞ୍ଜନ ଓଝା, ଇଟିଭି ଭାରତ