ଯାଜପୁର: ସ୍ବାମୀଙ୍କ ଦୀର୍ଘାୟୁ କାମନା କରି ପ୍ରତିବର୍ଷ ସଧବା ସ୍ତ୍ରୀଟିଏ ନିଜ ସ୍ବାମୀଙ୍କ ପାଇଁ ସାବିତ୍ରୀ ବ୍ରତ ପାଳନ କରିଥାଏ । ଶୁକ୍ରବାର ପାଳନ ହେବାକୁ ଥିବା ସାବିତ୍ରୀ ବ୍ରତକୁ ନଜରରେ ରଖି ଯାଜପୁରର ମା’ ବିରଜାଙ୍କ ମନ୍ଦିର ପରିସରରେ ୧୪୪ ଧାରା ଲାଗୁ କରାଯାଇଛି ।
ସାଵିତ୍ରୀ ବ୍ରତ ଅବସରରେ ହଜାର ହଜାର ଶ୍ରଦ୍ଧାଳୁଙ୍କ ସମାଗମକୁ ଦୃଷ୍ଟିରେ ରଖି ପ୍ରଶାସନ ପକ୍ଷରୁ ଏହି କଟକଣା ଲାଗୁ କରାଯାଇଛି । କୋରୋନା ମହାମାରୀ ସମୟରେ ସାମାଜିକ ଦୂରତାରେ ଯେଭଳି ବ୍ୟାଘାତ ନହେବ ତାହାକୁ ଦୃଷ୍ଟିରେ ରଖି ଏହି ନିଷ୍ପତ୍ତି ନିଆଯାଇଛି । ସମଗ୍ର ଭାରତରେ ଲକଡାଉନ କଟକଣା ବଳବତ୍ତର ଥିବାରୁ ଏବଂ ଶ୍ରଦ୍ଧାଳୁଙ୍କ ଭିଡକୁ ଏଡାଇବା ପାଇଁ ଯାଜପୁର ଉପ ଜିଲ୍ଲାପାଳ ତଥା ମନ୍ଦିର ଟ୍ରଷ୍ଟି ନାରାୟଣ ଚନ୍ଦ୍ର ଧଳ ମନ୍ଦିର ଓ ଏହାର ଚତୁଃପାର୍ଶ୍ବରେ ୧୪୪ ଜାରି କରିଛନ୍ତି ।
କୌଣସି ବ୍ୟକ୍ତିଙ୍କର ଉକ୍ତ ଅଞ୍ଚଳରେ ଯାତାୟତ ଓ ବୁଲାବୁଲି ଉପରେ କଟକଣା ଜାରି କରାଯାଇଛି । ଏହାକୁ ଉଲ୍ଲଙ୍ଘନ କଲେ ଆଇନ ଅନୁଯାୟୀ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ । ମା’ ବିରଜାଙ୍କ ପାଖରେ ପୂଜାର୍ଚ୍ଚନା କରି ସ୍ବାମୀଙ୍କ ଦୀର୍ଘାୟୁ ଜୀବନ କାମନା କରିଥାନ୍ତି ସଧବା ମହିଳା । ଏଠାରେ ସୂଚନା ଥାଉକି ମାର୍ଚ୍ଚ ୨୫ରେ ଆରମ୍ଭ ହୋଇଥିବା ଲକଡାଉନରେ ଧାର୍ମିକ ପୀଠରେ ଭକ୍ତଙ୍କ ସମାଗମ ଉପରେ କଟକଣା ଜାରି କରାଯାଇଥିଲା ।
ଯାଜପୁରରୁ ଜ୍ଞାନରଞ୍ଜନ ଓଝା, ଇଟିଭି ଭାରତ