ଯାଜପୁର: ପାଣିକୋଇଲି ଥାନା ଟୋଲଗେଟ ନିକଟରେ ଜଣେ ଗାଡି ଡ୍ରାଇଭରକୁ ଟୋଲ କର୍ମଚାରୀ ମାରିବା ପ୍ରତିବାଦରେ ଡ୍ରାଇଭର ସଙ୍ଘର ଧାରଣା । ସୂଚନା ମୁତାବକ ଭଦ୍ରକ ଜିଲ୍ଲାର ରାଜୁ ମଣ୍ଡଳ ନାମକ ଜଣେ ବ୍ୟକ୍ତି ନିଜର ଗାଡି ନେଇ ଯାଉଥିବା ବେଳେ ପାଣିକୋଇଲି ସ୍ଥିତ ଟୋଲଗେଟ ଅତିକ୍ରମ ନ କରିବା ପୂର୍ବରୁ ତାଙ୍କ ଗାଡିର ଫାଷ୍ଟ୍ଟ୍ରାକ୍ ଟଙ୍କା କାଟି ଯାଇଥିଲା । ଯାହାକୁ ନେଇ ଡ୍ରାଇଭର ଜଣକ ଟୋଲଗେଟ କର୍ମଚାରୀଙ୍କୁ ଅଭିଯୋଗ କରିଥିଲେ । ମାତ୍ର ଟୋଲଗେଟ କର୍ମଚାରୀ ଡ୍ରାଇଭରଙ୍କର କଥା ନଶୁଣି ଗାଳି ଗୁଲଜ କରିବା ସହିତ ଡ୍ରାଇଭର ଜଣକୁ ମାଡ ମାରିଥିଲେ।
ଫଳରେ ରାଜୁ ଏସମ୍ପର୍କରେ ପାଣିକୋଇଲି ସ୍ଥିତ ତାଙ୍କ ଡ୍ରାଇଭର ସଙ୍ଘକୁ ଜଣାଇବାରୁ ସଙ୍ଘର କର୍ମକର୍ତ୍ତାମାନେ ତୁରନ୍ତ ଘଟଣାସ୍ଥଳରେ ପହଞ୍ଚି ନ୍ୟାୟ ଦାବିରେ ଟୋଲଗେଟ ରାସ୍ତାରେ ଧାରଣାରେ ବସିଥିଲେ । ଯଦ୍ବାରା ଟ୍ରାଫିକ ଜାମ ଭଳି ସମସ୍ୟା ଉପୁଜିଥିଲା ।
ଏହି ଖବର ପାଇ ସ୍ଥାନୀୟ ପୋଲିସ ଅଧିକାରୀ ସୁଶୀଳ କୁମାର ନାୟକ ଘଟଣା ସ୍ଥଳରେ ପହଞ୍ଚି ଆନ୍ଦୋଳନକାରୀଙ୍କୁ ବୁଝାସୁଝା କରିବା ସହିତ ଆକ୍ରମଣ କରିଥିବା ଟୋଲ ଗେଟ କର୍ମଚାରୀଙ୍କୁ ଥାନାକୁ ନେଇଥିବା ଜଣାପଡିଛି । ତେବେ ତଦନ୍ତ ପରେ ସଂପୃକ୍ତ କର୍ମଚାରୀ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ଥାନା ଅଧିକାରୀ କହିବା ପରେ ଡ୍ରାଇଭର ସଙ୍ଘ ଆନ୍ଦୋଳନରୁ ଓହରିଥିଲେ ।
ଯାଜୁପୁରରୁ ଜ୍ଞାନ ରଞ୍ଜନ ଓଝା, ଇଟିଭି ଭାରତ