ଯାଜପୁର: ଆସନ୍ତା 29ତାରିଖରେ ହେବାକୁ ଯାଉଛି 4ର୍ଥ ତଥା ଶେଷ ପର୍ଯ୍ୟାୟ ନିର୍ବାଚନ । ଏନେଇ ସୋମବାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବରୀରୁ ବଡ଼ଚଣା ପର୍ଯ୍ୟନ୍ତ ରୋଡ ଶୋ’ରେ ସାମିଲ ହୋଇ ରାତିରେ ଭୁବନେଶ୍ବର ଫେରିଥିଲେ । ଏହାପରେ ମଙ୍ଗଳବାର ପୁଣି ଥରେ ଯାଜପୁର ଗସ୍ତରେ ଆସିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ।
ତେବେ ଏହି ଗସ୍ତରେ ଆସି ମୁଖ୍ୟମନ୍ତ୍ରୀ କୋରେଇ ଏବଂ ସୁକିନ୍ଦା ନିର୍ବାଚନୀ ମଣ୍ଡଳୀ ଗସ୍ତ କରିବା ସହ ପୃଥକ ପୃଥକ ନିର୍ବାଚନୀ ସଭାରେ ଯୋଗ ଦେଇଛନ୍ତି । ପ୍ରଥମେ କୋରେଇ ନିର୍ବାଚନ ମଣ୍ଡଳୀର ପାଣିକୋଇଲି କଲେଜ ପଡିଆରେ ନିର୍ବାଚନୀ ସଭାରେ ଯୋଗ ଦେଇ ଉପସ୍ଥିତ ସମସ୍ତ ଜନତାଙ୍କୁ ଉଦବୋଧନ ଦେଇଛନ୍ତି ।
ଏଥିସହ ଜିଲ୍ଲାର ଲୋକସଭା ସମେତ ବିଧାନସଭାର ବିଜେଡି ପ୍ରାର୍ଥୀଙ୍କୁ ବିପୁଳ ସଂଖ୍ୟାରେ ଭୋଟ ଦେଇ ଜିତାଇବା ପଇଁ ଭୋଟରମାନଙ୍କୁ ନିବେଦନ କରିଥିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଏହାପରେ ମୁଖ୍ୟମନ୍ତ୍ରୀ ସୁକିନ୍ଦା ଦୁବୁରୀ ହାଟ ପଡିଆରେ ନିର୍ବାଚନୀ ସଭାରେ ଯୋଗ ଦେଇଥିଲେ ।
କେନ୍ଦ୍ର ସରକାର ଓଡ଼ିଶା ପ୍ରତି ଅନ୍ୟାୟ କରିଛନ୍ତି । ଓଡ଼ିଶାବାସୀଙ୍କୁ ସେ ଉପେକ୍ଷିତ କରି ଆସୁଛନ୍ତି ବୋଲି ନବୀନ ସଭାରେ କହିଥିଲେ । ଅତୀତରେ ରାଜ୍ୟର କୌଣସି ବିପତ୍ତି ବା ବିପର୍ଯ୍ୟୟ ସମୟରେ ବିରୋଧୀ ନେତାମାନେ କେବେ ଓଡିଶା ଆସି ଲୋକଙ୍କ ପାଖରେ ଛିଡା ହୋଇ ନାହାନ୍ତି । କେବଳ ସେତିକି ନୁହେଁ ଅଭିଭାଷଣରେ ବିମୁଦ୍ରାକରଣ ଓ ଜିଏସଟି ପ୍ରସଙ୍ଗ ଉଠାଇ ନବୀନ କେନ୍ଦ୍ରକୁ ଟାର୍ଗେଟ କରିଥିଲେ ।
ନିର୍ବାଚନ ସମୟରେ ମିଛ କଥା କହି ଭୋଟ ହାତେଇବାକୁ ଉଦ୍ୟମ କରୁଛନ୍ତି ବୋଲି ନବୀନ ତାଙ୍କ ଅଭିଭାଷଣରେ କହିଥିଲେ । ତେଣୁ 5ମ ଥର ପାଇଁ ସରକାରରେ ଆସି ତୁରନ୍ତ ଚାଷୀମାନଙ୍କୁ କାଳିଆ ଯୋଜନାରେ 10 ହଜାର ଟଙ୍କା ପ୍ରଦାନ କରାଯିବ ବୋଲି ସେ ପ୍ରତିଶ୍ରୁତି ଦେଇଥିଲେ ।
ତେବେ ମଙ୍ଗଳବାର ଆୋଜିତ ଏହି କାର୍ଯ୍ୟକ୍ରମରେ ସୁକିନ୍ଦା ବିଜେଡି ବିଧାୟକ ପ୍ରାର୍ଥୀ ପ୍ରୀତିରଞ୍ଜନ ଘଡେଇ, କୋରେଇ ବିଧାୟକ ପ୍ରାର୍ଥୀ ଅଶୋକ ବଳ ଓ ଯାଜପୁର ଲୋକସଭା ପ୍ରାର୍ଥୀନୀ ଶର୍ମିଷ୍ଠା ସେଠୀଙ୍କ ପାଇଁ ଲୋକଙ୍କୁ ଭୋଟ ଭିକ୍ଷା କରିଥିଲେ ନବୀନ।
ଯାଜପୁରରୁ ଜ୍ଞାନରଞ୍ଜନ ଓଝା, ଇଟିଭି ଭାରତ