ଜଗତସିଂହପୁର: ଜିଲ୍ଲାରେ ବାତ୍ୟା 'ବୁଲବୁଲ'ର ପ୍ରଭାବ ଅନୁଭୂତ ହେଲାଣି । ଏହାର ପ୍ରଭାବରେ ଶୁକ୍ରବାର ସକାଳୁ ଆକାଶ ମେଘାଛନ୍ନ ରହିଥିଲା । ଏହାସହ ଦିନ ଗୋଟାଏ ସୁଦ୍ଧା ବର୍ଷାର ପରିମାଣ ଧିରେ ଧିରେ ବଢ଼ିବାରେ ଲାଗିଛି ।
ସେହିପରି ପବନର ବେଗ ସ୍ଥିର ରହିଛି । ଅପର ପକ୍ଷରେ ପାରାଦୀପରେ ସମ୍ଭାବ୍ୟ ବାତ୍ୟାକୁ ନେଇ ସତର୍କତା ଜାରି ହୋଇଛି । ମତ୍ସ୍ୟଜୀବୀଙ୍କୁ ସମୁଦ୍ର ଭିତରକୁ ନଯିବାକୁ ବାରଣ କରାଯାଇଛି । ଜିଲ୍ଲା ପ୍ରଶାସନ ପକ୍ଷରୁ 'ବୁଲବୁଲ'ର ମୁକବିଲା ପାଇଁ ଓଡ୍ରାଫ ଓ ଏନଡିଆରଏଫ୍(NDRF) ଟିମ୍କୁ ସଜାଗ ରଖାଯାଇଛି ।
ତେବେ ଜିଲ୍ଲାରେ ପବନର ପରିମାଣ କମ୍ ରହିବ । ତେଣୁ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି । ଏହାକୁ ଆଖି ଆଗରେ ରଖି ବାଲିକୁଦା ଓ ଏରସମା ଅଞ୍ଚଳର ତଳି ଅଞ୍ଚଳର କଚ୍ଚା ଘରେ ରହୁଥିବା ଲୋକଙ୍କୁ ତୁରନ୍ତ ବାତ୍ୟା ଆଶ୍ରୟ ସ୍ଥଳକୁ ଚାଲିଯିବାକୁ କୁହାଯାଇଛି ।
ପ୍ରଶାସନ ପକ୍ଷରୁ ପ୍ରାଯ୍ୟାପ୍ତ ପରିମାଣରେ ଚୁଡା, ଗୁଡ, ମହଜୁଦ୍ ରଖାଯାଇଛି । ଆବଶ୍ୟକ ହେଲେ ବାତ୍ୟା ଆଶ୍ରୟସ୍ଥଳରେ ରନ୍ଧା ଖାଦ୍ୟର ବ୍ୟବସ୍ଥା କରାଯିବ ବୋଲି ଜିଲ୍ଲାପାଳ ସୂଚନା ଦେଇଛନ୍ତି ।
ଏଠାରେ ସୂଚନାଯୋଗ୍ୟ, ସୁନ୍ଦରବନରେ ଲ୍ୟାଣ୍ଡଫଲ କରିବ ବାତ୍ୟା 'ବୁଲବୁଲ'। ପଶ୍ଚିମବଙ୍ଗ-ବାଲାଂଦେଶ ମଧ୍ୟ ଦେଇ ଗତି କରିବା ନେଇ ଭାରତୀୟ ପାଣିପାଗ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି ।
ଜଗତସିଂହପୁରରୁ ସୁଶାନ୍ତ ପାତ୍ର, ଇଟିଭି ଭାରତ