ଜଗତସିଂହପୁର: ଜିଲ୍ଲାର ବିଭିନ୍ନ ସ୍ଥାନରେ ଦୋଳଯାତ୍ରା ଶେଷ ହୋଇଛି । ଦୋଳ ଦଶମୀ ଠାରୁ ପୂର୍ଣ୍ଣିମା ପର୍ଯ୍ୟନ୍ତ ଜିଲ୍ଲାର ପ୍ରାୟ 100 ରୁ ଅଧିକ ଗ୍ରାମରେ ରାଧା ଗୋପୀନାଥ ବିଜେକରି ଭୋଗ ଖାଇବା ସହ ମେଳଣ କରି ଫଗୁ ଖେଳୁଥିବାର ଦୃଶ୍ୟ ଦେଖିବାକୁ ମିଳିଥାଏ। ଆଜି ହୋଲି ପର୍ବ ହୋଇଥିବାରୁ ଦୋଳ ବିମାନରେ ବିଜେ କରିଥିବା ଶ୍ରୀଜୀଉ ଦୋଳ ବେଦୀରେ ପ୍ରବେଶ କରିବା ପରେ ଦୋଳ ଝୁଲଣ ନୀତି ସମ୍ପନ୍ନ ହୋଇଛି ।
ବିଭିନ୍ନ ଗ୍ରାମର ଲୋକେ ଦୋଳ ବେଦୀରେ ରାଧା ଗୋପୀନାଥଙ୍କୁ ଦର୍ଶନ କରିବା ସହ ଶ୍ରୀଜୀଉଙ୍କ ପାଦରେ ଅବିର ଲାଗି କରିଥିଲେ। ଆଜି ରାତ୍ରୀରେ ଶ୍ରୀଜୀଉ ମାନଙ୍କୁ ଯମୁନା ସ୍ନାନ କରାଯିବା ପରେ ମନ୍ଦିରକୁ ବିଜେ କରାଯିବାର ବିଧି ରହିଛି ।
ଦୋଳ ଉତ୍ସବ ପାଳନ ଅବସରରେ ସମଗ୍ର ପଲ୍ଲୀ ଅଞ୍ଚଳ ଉତ୍ସବମୁଖର ହୋଇ ପଡ଼ିଥିଲା। ଏକ ଆଧ୍ୟାତ୍ମିକ ପରିବେଶ ସୃଷ୍ଟି ହେବା ସହ ଭାଇଚାରାର ପର୍ବ ହୋଲିକୁ ଲୋକେ ପାଳନ କରୁଥିବାର ଦୃଶ୍ୟ ଦେଖିବାକୁ ମିଳିଥିଲା। ଆଜିଠାରୁ ଚୈତ୍ର ମାସ ଆରମ୍ଭ ହେଉଥିବାରୁ ମା ଶାରଳାଙ୍କ ମନ୍ଦିରରେ ଦୋଳ ଉତ୍ସବ ସମାପନ କରାଯାଇ ମଧୁ ପାର୍ବଣ ନୀତି ଆରମ୍ଭ ହୋଇଛି ।
ଜଗତସିଂହପୁରରୁ ସୁଶାନ୍ତ କୁମାର ପାତ୍ର, ଇଟିଭି ଭାରତ