ଜଗତସିଂହପୁର: ଫେସବୁକ ଆକାଉଣ୍ଟ ହ୍ୟାକ କରି ଅର୍ଥ ଠକେଇ ଅଭିଯୋଗ । ହ୍ୟାକରଙ୍କ ଜାଲରେ ଜିଲ୍ଲାର ବରିଷ୍ଠ ଆଇନଜୀବୀ । ଆଇନଜୀବୀଙ୍କ ଫେସବୁକ ଆକାଉଣ୍ଟକୁ ହ୍ୟାକ କରାଯାଇ ସେମାନଙ୍କ ବନ୍ଧୁକୁ ହ୍ୟାକରମାନେ ଟଙ୍କା ମାଗୁଥିବା ଅଭିଯୋଗ ହୋଇଛି । ଏହି ଠକେଇର ଶିକାର ହୋଇଥିବା ବରିଷ୍ଠ ଆଇନଜୀବୀ ବିଭୁ ଅଧିକାରୀଙ୍କ ଫେସବୁକ ଆକାଉଣ୍ଟକୁ ହ୍ୟାକ କରିଥିବା ବେଳେ ସେ ଥାନାରେ ଅଭିଯୋଗ କରିଛନ୍ତି ।
ହ୍ୟାକରମାନେ ଆଇନଜୀବୀ ବିଭୁଙ୍କ ଆକାଉଣ୍ଟକୁ ଅପରେଟ କରୁଛନ୍ତି । ସଦର ଥାନା ଅନ୍ତର୍ଗତ ଦୋଣ୍ଡୁଅ ଗ୍ରାମର ବିଶ୍ବରଞ୍ଜନ ମଲ୍ଲଙ୍କୁ ଅନଲାଇନ ଲୁଟେରା ମାନେ ୧୨ ହଜାର ଟଙ୍କା ମାଗିଥିଲେ । "ମୁଁ ହସ୍ପିଟାଲରେ ଅଛି । ମୋତେ ୧୨ ହଜାର ଟଙ୍କା ଫୋନ ପେ ଜରିଆରେ ଦିଅନ୍ତୁ" ଲୁଟେରା ଫୋନ ପେ ନମ୍ବର ମଧ୍ୟ ଦେଇଥିଲେ । ସେହି ଫୋନ ପେ ନମ୍ବରଟି ଅନ୍ୟ ନାମରେ ଥିବାରୁ ବିଶ୍ବ ରଞ୍ଜନଙ୍କ ସନ୍ଦେହ ହୋଇଥିଲା । ଏହାପରେ ନିଜ ବୁଦ୍ଧି ଖଟାଇ ବିଶ୍ବରଞ୍ଜନଙ୍କ ଲୁଟେରାଙ୍କୁ ବ୍ୟାଙ୍କ ଆକାଉଣ୍ଟ ନମ୍ବର ମାଗିଥିଲେ ।
ଏହା ବି ପଢନ୍ତୁ- ପୋଲିସ ହାତରେ ଅର୍ଚ୍ଚନାଙ୍କ ବ୍ୟାଙ୍କ ଡିଟେଲ୍ସ, ଯାଞ୍ଚ ବେଳେ ତାଜୁବ ପୋଲିସ
ତେବେ ଲୁଟେରାମାନେ ଅର୍ଥ ପାଇବା ଲୋଭରେ ବ୍ୟାଙ୍କ ଆକାଉଣ୍ଟ ନମ୍ବର ଦେବା ପରେ ଉକ୍ତ ଆକାଉଣ୍ଟକୁ ଯାଞ୍ଚ କରାଇଥିଲେ ବିଶ୍ବରଞ୍ଜନ । ଉକ୍ତ ନମ୍ବର ଏକ ଘରୋଇ ବ୍ୟାଙ୍କର ହୋଇଥିବା ବେଳେ ଏହା ପଶ୍ଚିମବଙ୍ଗର ବୋଲି ଜଣାପଡ଼ିଛି । ସେହିଭଳି ସେହି ବରିଷ୍ଠ ଆଇନଜୀବୀଙ୍କ ନାମରେ ଅନ୍ୟ ଜଣେ ଲୋକଙ୍କୁ ଅର୍ଥ ମାଗୁଥିବା ମଧ୍ୟ ଜଣା ପଡିଥିଲା । ଏହି ଘଟଣା ସମ୍ପର୍କରେ ଆଇନଜୀବୀ ଜାଣିବା ପରେ ଥାନାରେ ଅଭିଯୋଗ କରିଛନ୍ତି ।
ଏବେ ଡିଜିଟାଲ ଯୁଗରେ ଅନ ଲାଇନ ଲୁଟେରା ମାନେ ସକ୍ରିୟ ହୋଇ ଉଠିଥିବା ବେଳେ ଜଗତସିଂହପୁର ଜିଲ୍ଲାରେ ସାଇବର ଥାନା ନଥିବାରୁ ଲୋକେ ଠକାମିର ଶିକାର ହେଉଛନ୍ତି । ପୂର୍ବରୁ ଜଣେ ବ୍ୟକ୍ତିଙ୍କ ଠାରୁ ଅନଲାଇନ ମାଧ୍ୟମରେ ଲକ୍ଷାଧିକ ଟଙ୍କା ଠକେଇ ହୋଇଥିଲା । ଏ ସମ୍ପର୍କରେ ଥାନାରେ ଅଭିଯୋଗ ହୋଇଥିଲେ ମଧ୍ୟ ଲୁଟେରାଙ୍କୁ ଧରିବାରେ ପୋଲିସ ଅକ୍ଷମ ହୋଇଥିଲା । ଏବେ ଟଙ୍କା ନେଣଦେଣ ସବୁକିଛି ମୋବାଇଲ ମାଧ୍ୟମରେ ହୋଇପାରୁଛି । ଏହି କ୍ଷେତ୍ରରେ ଅନଭିଜ୍ଞ ଥିବା ଲୋକେ ଅଧିକ ମାତ୍ରାରେ ସାଇବର ଠକେଇର ଶିକାର ହେଉଛନ୍ତି । ଏଥିଲାଗି ସର୍ବଦା ସାଇବର ଠକେଇଙ୍କ ଠାରୁ ସତର୍କ ରହିବା ଆବଶ୍ୟକ । ଏହାସହିତ ନିଜ ବ୍ୟାଙ୍କ ଡିଟେଲ୍ସ ସମ୍ପର୍କରେ କାହା ସହିତ କୌଣସି ତଥ୍ୟ ସେୟାର କରିବା ଉଚିତ ନୁହେଁ ।
ଇଟିଭି ଭାରତ, ଜଗତସିଂହପୁର