ଜଗତସିଂହପୁର: ଜଗତସିଂହପୁର ଜିଲ୍ଲା ପୋକ୍ସୋ କୋର୍ଟ ଏକ ଗୁରୁତ୍ବପୂର୍ଣ୍ଣ ରାୟର ଶୁଣାଣି କରିଛନ୍ତି । ଏହି ରାୟରେ ଜଣେ ନାବାଳିକାକୁ ଅପହରଣ ଓ ପରେ ଦୁଷ୍କର୍ମ ଘଟଣାରେ ଅଭିଯୁକ୍ତକୁ ଦୋଷୀ ସାବ୍ୟସ୍ତ କରିବା ସହିତ ୨୦ ବର୍ଷ କାରାଦଣ୍ଡ ସହିତ ୪୫ ହଜାର ଟଙ୍କାର ଜରିମାନା ନିର୍ଦ୍ଦେଶ ଦେଇଛନ୍ତି କୋର୍ଟ । ଜରିମାନା ଅନାଦେୟ ଅଧିକ ୯ ମାସ ଜେଲଦଣ୍ଡ ପାଇଁ ରାୟରେ ଉଲ୍ଲେଖ ରହିଛି ।
ସୂଚନାଯୋଗ୍ୟ ଯେ ଜଗତସିଂହପୁର ଜିଲ୍ଲା ରଘୁନାଥପୁର ଥାନା ଅନ୍ତର୍ଗତ ଚିକିଣିଆ ଗ୍ରାମରେ ଗତ ୨୦୧୯ ମସିହାରେ ଶିବ ପ୍ରସାଦ ସେଠୀ ନାମକ ଜଣେ ୩୬ ବର୍ଷୀୟ ବ୍ୟକ୍ତି ଜଣେ ନାବାଳିକାକୁ ଧ୍ୟାନକୁଦ ଜଗନ୍ନାଥଙ୍କ ମନ୍ଦିର ବୁଲେଇବାକୁ ନେଇଥିଲା । ମନ୍ଦିର ବୁଲିବାକୁ ଯାଇ ନାବାଳିକା ଜଣଙ୍କ ଆଉ ଘରକୁ ଫେରିନଥିଲେ । ପରିବାର ଲୋକେ ଝିଅ କୁଆଡେ ଗଲା ବୋଲି ଶିବ ପ୍ରସାଦକୁ ପଚାରିବାରୁ ସେ ଜାଣିନାହିଁ ବୋଲି କହିଥିଲା । ଏହାପରେ ନାବାଳିକାଙ୍କ ପରିବାର ଲୋକେ ଅନେକ ଖୋଜାଖୋଜି କରିଥିଲେ ମଧ୍ୟ ଝିଅର ପତ୍ତା ପାଇନଥିଲେ । ଏନେଇ ନାବାଳିକାଙ୍କ ବାପା ୨୦୧୯ ଡିସେମ୍ବର ମାସ ୫ ତାରିଖରେ ରଘୁନାଥପୁର ଥାନାରେ ଝିଅକୁ ଅପହରଣ କରାଯାଇଥିବା ନେଇ ଅଭିଯୋଗ କରିଥିଲେ । ରଘୁନାଥପୁର ପୋଲିସ ଏ ସମ୍ପର୍କରେ ଖୋଳତାଡ଼ କରିବା ପରେ ନାବାଳିକାଙ୍କୁ ଢେଙ୍କାନାଳରୁ ଉଦ୍ଧାର କରିଥିଲା ।
ଏହା ମଧ୍ୟ ପଢ଼ନ୍ତୁ...ବାପା ଓ ପଡୋଶୀ ଯୁବକର ଦୁଷ୍କର୍ମରେ ନାବାଳିକା ଗର୍ଭବତୀ: ଉଭୟ ଅଭିଯୁକ୍ତ ଗିରଫ
ଅଭିଯୁକ୍ତ ଶିବ ପ୍ରସାଦ ନାବାଳିକାକୁ ଅପହରଣ କରି ଢେଙ୍କାନାଳରେ ରଖିବା ସହ ଏକାଧିକ ଥର ଦୁଷ୍କର୍ମ କରିଥିବା ତଦନ୍ତରୁ ଜଣା ପଡିଥିଲା । ଏନେଇ ରଘୁନାଥପୁର ପୋଲିସ ନାବାଳିକାକୁ ଅପହରଣ ଓ ଦୁଷ୍କର୍ମ ଅଭିଯୋଗରେ ଅଭିଯୁକ୍ତ ଶିବ ପ୍ରସାଦକୁ ଗିରଫ କରି କୋର୍ଟ ଚାଲାଣ କରିଥିଲା । ଆଜି ଏହି ମାମଲାରେ ୨୦ ଜଣ ସାକ୍ଷୀଙ୍କ ବୟାନ ଓ ପ୍ରମାଣକୁ ଭିତ୍ତିକରି ଜଗତସିଂହପୁର ପୋକ୍ସୋ ଅଦାଲତର ବିଚାରପତି ଅଜୟ କୁମାର ମହାନ୍ତି ଅଭିଯୁକ୍ତ ଶିବ ପ୍ରସାଦକୁ ୨୦ ବର୍ଷର ସଶ୍ରମ କାରାଦଣ୍ଡ ଶୁଣାଇଛନ୍ତି । ଏହା ସହିତ ୪୫ ହଜାର ଟଙ୍କାର ଜରିମାନା ଦଣ୍ଡାଦେଶ ଶୁଣାଇଛନ୍ତି କୋର୍ଟ । ଜରିମାନା ଅନାଦେୟ ଅଧିକ ୯ ମାସ ଜେଲଦଣ୍ଡ ଭୋଗିବାକୁ ପଡ଼ିବ ବୋଲି ରାୟରେ ଉଲ୍ଲେଖ କରିଛନ୍ତି । ପୀଡିତା ନାବାଳିକାଙ୍କୁ ୪ ଲକ୍ଷ ଟଙ୍କା କ୍ଷତିପୂରଣ ଅର୍ଥ ପ୍ରଦାନ କରିବାକୁ ଆଇନ ସେବା ପ୍ରାଧିକରଣକୁ ନିର୍ଦ୍ଦେଶ ଦେଇଛନ୍ତି କୋର୍ଟ ।
ଇଟିଭି ଭାରତ, ଜଗତସିଂହପୁର