ବ୍ରହ୍ମପୁର: ଆଜି ଠାରୁ(ସୋମବାର) ଭକ୍ତଙ୍କ ପାଇଁ ଖୋଲିଲା ରାଜ୍ୟର ପ୍ରମୁଖ ଶକ୍ତିପୀଠ ମା' ତାରାତାରିଣୀ ମନ୍ଦିର । ଭକ୍ତମାନଙ୍କ ସୁବିଧାକୁ ଦୃଷ୍ଟିରେ ରଖି ମା'ଙ୍କ ପୀଠକୁ ଯିବା ପାଇଁ ମୁଖ୍ୟ ଗେଟ୍ରୁ ମନ୍ଦିର ଯିବା ପାଇଁ ବସ୍ସେବା ଯୋଗାଇ ଦିଆଯିବ । ଏହାକୁ ନେଇ ଗଞ୍ଜାମ ଜିଲ୍ଲାପାଳ ବିଜୟ ଅମୃତା କୁଲାଙ୍ଗେ ଟ୍ବିଟ୍ କରି ସୂଚନା ଦେଇଛନ୍ତି ।
ମା'ଙ୍କ ମୁଖ୍ୟ ପୀଠକୁ କୌଣସି ବେସରକାରୀ ବସ୍ ନ ଛାଡ଼ିବାକୁ ନିଷ୍ପତ୍ତି ହୋଇଛି । ମା'ଙ୍କ ମନ୍ଦିର ତଥା ପାରିପାର୍ଶ୍ୱିକ ବିକାଶ କାର୍ଯ୍ୟର ତୃତୀୟ ପର୍ଯ୍ୟାୟ ଉନ୍ନୟନମୂଳକ କାର୍ଯ୍ୟ ଆରମ୍ଭ ହୋଇଛି । ଏଥିପ୍ରତି କୌଣସି ସମସ୍ୟା ହେଲେ ସହଯୋଗ କରିବାକୁ ଅନୁରୋଧ କରାଯାଇଛି । ଦୀର୍ଘକାଳୀନ କୋଭିଡ କଟକଣା ବେଳେ ମା'ଙ୍କ ମନ୍ଦିରର ଉନ୍ନୟନମୂଳକ କାର୍ଯ୍ୟ ଚାଲିଥିଲା । ଏହାକୁ ଦୃଷ୍ଟିରେ ରଖି ମନ୍ଦିରକୁ ସାଧାରଣ ଭକ୍ତଙ୍କ ଯାତାୟତ ଉପରେ ଗଞ୍ଜାମ ଜିଲ୍ଲା ପ୍ରଶାସନ ପକ୍ଷରୁ କଟକଣା ଜାରି କରାଯାଇଥିଲା ।
ବର୍ତ୍ତମାନ ମନ୍ଦିରର ଅନେକ ଉନ୍ନତିମୂଳକ କାର୍ଯ୍ୟ ଶେଷ ହୋଇଛି । ମୁଖ୍ୟମନ୍ତ୍ରୀ ନିଜେ ଗଞ୍ଜାମ ଜିଲ୍ଲା ଗସ୍ତରେ ଆସି ମା'ଙ୍କୁ ଦର୍ଶନ କରି ଫେରିଛନ୍ତି । ଏହାପରେ ମନ୍ଦିର ମା'ଙ୍କ ଶ୍ରଦ୍ଧାଳୁଙ୍କ ପାଇଁ ଖୋଲିବାକୁ ପ୍ରଶାସନ ନିଷ୍ପତ୍ତି ନେଇଛି । ଖୁବ୍ଶୀଘ୍ର ଭକ୍ତଙ୍କ ପାଇଁ ଆପ୍ ସୁବିଧା ମଧ୍ୟ କରାଯିବ ବୋଲି ପ୍ରଶାସନ ସୂଚନା ଦେଇଛି ।
ବ୍ରହ୍ମପୁରରୁ ସମୀର ଆଚାର୍ଯ୍ୟ, ଇଟିଭି ଭାରତ