ବ୍ରହ୍ମପୁର: ନଅ ମିନିଟ ପାଇଁ ଦୀପ ଆଲୋକରେ ଆଲୋକିତ ହେଲା ରେଶମ ସହର ବ୍ରହ୍ମପୁର । ସାରା ଦେଶରେ ପ୍ରଧାନମନ୍ତ୍ରୀଙ୍କ ଆହ୍ୱାନ କ୍ରମେ ରାତ୍ର ନଅ ଘଣ୍ଟା ସମୟରେ ନଅ ମିନିଟ ପାଇଁ ପ୍ରତ୍ୟେକ ପରିବାର ସେମାନଙ୍କ ଘର ସମ୍ମୁଖରେ ଦୀପ, ମହମବତୀ, ଟର୍ଚ୍ଚ, ମୋବାଇଲ ଫ୍ଲାସ ଲାଇଟ ଜାଳି ସମ୍ପୂର୍ଣ୍ଣ ପରିବେଶକୁ ଉଜ୍ୱଳ କରିଥିଲେ ଓ କୋରୋନା ବିରୋଧରେ ଏକାଠି ଲଢୁଥିବା ପ୍ରମାଣିତ କରିଥିଲେ ।
ବ୍ରହ୍ମପୁରର ବିଭିନ୍ନ ଆପାର୍ଟମେଣ୍ଟରେ ରହୁଥିବା ପ୍ରତ୍ୟେକ ସାହିର ଘର ସାମ୍ନାରେ ଦୀପ ଲଗାଇ ନିଜ ଘର ସମୁଖରେ ଠିଆ ହେବା ଦୃଶ୍ୟଥିଲା ନିଆରା । ସେପଟେ ପ୍ରତ୍ୟେକ ସାହିରେ ଦୀପ ସହିତ କ୍ୟାଣ୍ଡେଲ ଜଳାଇଥିଲେ ଅନେକ । ଯୁବକ ଯୁବତୀ ମାନେ ନିଜ ମୋବାଇଲ ଫ୍ଲାସ ଲାଇଟ ଅନ୍ କରିଥିବା ବେଳେ ଘରର ମହିଳା ମାନେ ତୁଳସୀ ଚଉରା ଠାରୁ ଆରମ୍ଭ କରି ଗୃହ ସାମ୍ନା ଏବଂ ବାଲକୋନୀରେ ଦୀପ ଜାଳି ବିଶ୍ୱର ମଙ୍ଗଳ କାମନା କରିଥିଲେ l ଅନେକ ସ୍ଥାନରେ ଶଙ୍ଖ ଧ୍ୱନି ସହ କେତେକ ବାଣ ମଧ୍ୟ ଫୁଟାଇଥିଲେ । ପ୍ରଧାନମନ୍ତ୍ରୀଙ୍କ #9pm9minuteକୁ ଜନସାଧାରଣ ବେଶ୍ ଭଲ ଭାବରେ ପାଳନ କରିଥିବା ଦେଖାଯାଇଥିଲା ।