ବ୍ରହ୍ମପୁର: ସୋନପୁର ମେରାଇନ୍ ଥାନା ଅଞ୍ଚଳରେ ଘଟିଥିବା ନାବାଳିକାକୁ ଗଣଦୁଷ୍କର୍ମ ଘଟଣାରେ ତଦନ୍ତ କରି ଦୁଇ ଜଣ ଅଭିଯୁକ୍ତଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଥିବା ସୂଚନା ଦେଇଛନ୍ତି ବ୍ରହ୍ମପୁର ଏସପି । ଗିରଫ ଦୁଇ ଯୁବକ ହେଲେ ଜନାର୍ଦ୍ଦନ ବେହେରା ଓ ମିଥୁନ୍ ଦାସ । ଗିରଫ ଦୁଇ ଯୁବକ ବ୍ରହ୍ମପୁର ସହରର ଏକ ମହାବିଦ୍ୟାଳୟରେ ପାଠ ପଢୁଥିବା ଜଣାପଡିଛି ।
ସୂଚନା ଅନୁସାରେ, ଗତ ୧୦ ତାରିଖ ଦିନ ନାବାଳିକାକୁ ବାହୁଦା ନଦୀକୁ ଗାଧୋଇବା ଯାଇଥିଲେ । ସେଠାରୁ ନାବାଳିକାକୁ ଉଠାଇ ନେଇ ଗଣଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଥିଲା । ଏପରିକି ଗଣଦୁଷ୍କର୍ମ ପରେ ବାହୁଦା ନଦୀ କୂଳରେ ନାବାଳିକାକୁ ଫୋପାଡି ଚାଲିଯାଇଥିଲେ ଅଭିଯୁକ୍ତ । ଘଟଣା ଜଣାପଡିବା ପରେ ନାବାଳିକାଙ୍କ ପରିବାର ବର୍ଗ ଥାନାରେ ଏତଲା ଦେବା ସହ ନାବାଳିକାଙ୍କୁ ବ୍ରହ୍ମପୁର ଏମକେସିଜି ମେଡ଼ିକାଲରେ ଭର୍ତ୍ତି କରାଇଥିଲେ ।
ନାବାଳିକା ଜଣଙ୍କ ସୁସ୍ଥ ହେବା ପରେ ପୋଲିସ ପକ୍ଷରୁ ମାଜିଷ୍ଟ୍ରେଟଙ୍କ ଉପସ୍ଥିତିରେ ବୟାନ ନିଆଯାଇଥିଲା । ପରେ ଦୁଇ ଜଣଙ୍କୁ ଗିରଫ କରାଯାଇ କୋର୍ଟ ଚାଲାଣ କରାଯାଇଥିବା ସୂଚନା ରହିଛି । ଆଗାମୀ ଦିନରେ ନାବାଳିକା ସମ୍ପୂର୍ଣ୍ଣ ସୁସ୍ଥ ହୋଇ ଫେରିବା ପରେ ଅଧିକ ତଦନ୍ତ କରାଯିବ ବୋଲି ଏକ ପ୍ରେସ ମିଟରେ ସୂଚନା ଦେଇଛନ୍ତି ଏସପି ।
ବ୍ରହ୍ମପୁରରୁ ସମୀର ଆଚାର୍ଯ୍ୟ, ଇଟିଭି ଭାରତ