ଭଞ୍ଜନଗର: ଭତ୍ତା ଟଙ୍କା ପାଇବାକୁ ହଟହଟା । ଗ୍ରାମରେ ଯାତାୟତର ସୁବିଧା ନଥିବାରୁ ଭତ୍ତା ପାଇବାରୁ ବଞ୍ଚିତ ହିତାଧିକାରୀ । ଗଞ୍ଜାମ ଜିଲ୍ଲାର ସାଲିମାଗୋଚ୍ଛା ପଞ୍ଚାୟତ ଏକ ଦୁର୍ଗମ ଅଞ୍ଚଳ ହୋଇଥିବାରୁ ବୃଦ୍ଧ ଓ ବୃଦ୍ଧା ଭତ୍ତା ଟଙ୍କା ପାଇବାରୁ ବଞ୍ଚିତ ହେଉଥିବା ଅଭିଯୋଗ ହୋଇଛି । ତେବେ ପୂର୍ବରୁ ଭତ୍ତା ଟଙ୍କା ବଣ୍ଟନ କରାଯାଉଥିବା ବେଳେ ଏବେ ବ୍ୟାଙ୍କ ଆକାଉଣ୍ଟକୁ ଆସୁଛି । କିନ୍ତୁ ପଞ୍ଚାୟତରେ ବ୍ୟାଙ୍କ ନଥିବାରୁ ଟଙ୍କା ଉଠାଇବାକୁ ନେଇ ଗ୍ରାମରୁ ୩୫ କିଲୋମିଟର ଦୂରରେ ଥିବା ବଡଗଡ ଗ୍ରାମକୁ ଯିବାକୁ ପଡେ ।
ହେଲେ ଏହି ଗାଁକୁ ଯାତାୟତ ପାଇଁ ମାତ୍ର ଗୋଟିଏ ବସ୍ ରହିଛି । ଯାହା ସକାଳୁ ସାଲିମାଗୋଛାରୁ ବାହାରିଲେ ରାତି ୯ଟାରେ ଫେରିଥାଏ । ସେପଟେ ଅଟୋରେ ଯାତାୟତ କରିବାକୁ ହେଲେ ୩୦୦ଟଙ୍କା ଭଡା ଦେବାକୁ ପଡୁଥିବା ବେଳେ ବ୍ୟାଙ୍କକୁ ଯିବାକୁ ଇଚ୍ଛା ପ୍ରକାଶ କରୁନାହାନ୍ତି ହିତାଧିକାରୀ । ତେବେ ଯାତାୟତର ସୁବିଧାନଥିବାରୁ ଭତ୍ତା ଟଙ୍କା ପଞ୍ଚାୟତରେ ବଣ୍ଟନ କରିବାକୁ ଅନୁରୋଧ କରିଛନ୍ତି ଗ୍ରାମବାସୀ ।
ଭଞ୍ଜନଗରରୁ ରଞ୍ଜନ ସ୍ବାଇଁ, ଇଟିଭି ଭାରତ