ଭଞ୍ଜନଗର: ରାଜ୍ୟରେ ବର୍ତ୍ତମାନ ରହସ୍ୟମୟ ମୃତ୍ୟୁ ଚାଞ୍ଚଲ୍ୟ ସୃଷ୍ଟି କରୁଛି । ନୟାଗଡରେ କିଛିଦିନ ତଳେ ଲଗାତାର ଛୋଟ ପିଲାଙ୍କୁ ଅପହରଣ ଏବଂ ପରେ ହତ୍ୟା ମାମଲା ଦେଖିବାକୁ ମିଳି ଥିବାବେଳେ ଗୁରୁବାର ସୁନ୍ଦରଗଡରେ କଟା ହାତ ଏବଂ ପରେ ପରେ କଟା ମୁଣ୍ଡ ଏବଂ ଶରୀରର ବିଭିନ୍ନ କଟା ଅଂଶ ମିଳିବା ସାରା ରାଜ୍ୟରେ ଆତଙ୍କ ସୃଷ୍ଟି କରିଛି । ଏହାରି ମଧ୍ୟରେ ପୁଣି ଗଞ୍ଜାମରେ ଘଟିଛି ଏପରି ଏକ ଘଟଣା ।
ସୂଚନା ଅନୁଯାୟୀ ଆଜି(ଶୁକ୍ରବାର) ଗଞ୍ଜାମ ଜିଲ୍ଲା ସୋରଡା ଥାନା ଜାତ୍ରାମା ଗ୍ରାମ ନିକଟ ପୋଖରୀରୁ ଜଣେ ମହିଳାଙ୍କ ମୃତଦେହ ଉଦ୍ଧାର କରାଯାଇଛି । ମୃତ୍ୟୁର କାରଣ ଅସ୍ପଷ୍ଟ ଥିବାବେଳେ ମୃତ ମହିଳା ଜଣକ ଗୋଚ୍ଛା ଗ୍ରାମର ଲକି ସାହୁ ବୋଲି ଜଣାପଡିଛି । ସେ ସ୍ଥାନୀୟ ଅଞ୍ଚଳର ପଦ୍ମନାଭ ସାହୁଙ୍କ ପୁଅ ମନୋଜଙ୍କୁ ଦୁଇବର୍ଷ ତଳେ ବିବାହ କରିଥିଲେ ।
ତେବେ ଗତ 13 ତାରିଖରୁ ଲକି କେଉଁଆଡେ ନିଖୋଜ ହୋଇଯାଇଥିଲେ । ଶୁକ୍ରବାର ନିକଟସ୍ଥ ଏକ ପୋଖରୀରେ ମୃତଦେହ ଭାସୁଥିବାର ଦେଖିଥିଲେ ସ୍ଥାନୀୟ ଲୋକେ । ଏନେଇ ଅଗ୍ନିଶମ ବାହିନୀ କର୍ମଚାରୀଙ୍କୁ ଖବର ଦେବାପରେ ଖବର ପାଇ ଅଗ୍ନିଶମ କର୍ମଚାରୀ ମୃତଦେହ ଉଦ୍ଧାର କରିଥିଲେ । ପରେ ଉଦ୍ଧାର ମୃତଦେହ ନିଖୋଜ ଲକିଙ୍କର ବୋଲି ଜଣାପଡିଛି ।
ଅନ୍ୟପଟେ ଘଟଣାସ୍ଥଳରେ ସୋରୋଡା ପୋଲିସ ପହଞ୍ଚି ମୃତଦେହ ଜବତ କରି ପୋଷ୍ଟମଟମ ପାଇଁ ପଠାଇଛି । ରିପୋର୍ଟ ଆସିବା ପରେ ଏହା ହତ୍ୟା ନା ଆତ୍ମହତ୍ୟା ତାହା ସ୍ପଷ୍ଟ ହେବ ।
ଭଞ୍ଜନଗରରୁ ରଞ୍ଜନ ସ୍ୱାଇଁ, ଇଟିଭି ଭାରତ