ବ୍ରହ୍ମପୁର: ଗଞ୍ଜାମ ଜିଲ୍ଲାର ୧୦୩୨ ଗୋଟି ଗ୍ରାମ ସମେତ ୧୪୦ଟି ସହରାଞ୍ଚଳ ୱାର୍ଡକୁ ବାଲ୍ୟ ବିବାହ ମୁକ୍ତ ଘୋଷିତ କରାଯାଇଛି । ବାଲ୍ୟବିବାହ ପ୍ରତିରୋଧ ପାଇଁ ଜିଲ୍ଲାରେ ଗଠିତ ହୋଇଥିବା ବିଭିନ୍ନ ବ୍ଳକ ସ୍ତରୀୟ ଏବଂ ପଞ୍ଚାୟତସ୍ତରୀୟ ଟାସ୍କଫୋର୍ସ କମିଟିର ପ୍ରସ୍ତାବକ୍ରମେ ଜିଲ୍ଲା ପ୍ରଶାସନ ଏହି ଘୋଷଣା କରିଛି । ଗ୍ରାମ ଗୁଡିକ ମଧ୍ୟରୁ ଛତ୍ରପୁର ବ୍ଳକରେ ସର୍ବାଧିକ ୧୧୧ ଗ୍ରାମ ରହିଥିବା ବେଳେ ଗଞ୍ଜାମ ବ୍ଳକର ୮୨ ଗ୍ରାମ, ଖଲ୍ଲିକୋଟ ୪୦ ଗ୍ରାମ ,ବେଗୁନିଆପଡା ୫୩ ,ପୋଲସରା ୨୧, ପୁରୁଷୋତ୍ତମପୁର ୧୪, କବିସୂର୍ଯ୍ୟନଗର ୭୫, ହିଞ୍ଜିଳିକାଟୁ ୧୨ , ରଙ୍ଗେଇଲୁଣ୍ଡା ୭୦, କୁକୁଡାଖଣ୍ଡି ୭୨ , ଦିଗପହଣ୍ଡି ୧୩, ସାନଖେମୁଣ୍ଡି ୪୭, ଚିକିଟି ୧୬, ପାତ୍ରପୁର ୩୭, ଭଞ୍ଜନଗର ୫୦ , ବେଲଗୁଣ୍ଠା ୨୦, ବୁଗୁଡା ୨୦, ଜଗନ୍ନାଥପ୍ରସାଦ ୩୫, ଆସ୍କା ୯, ଧରାକୋଟ ୨୭ , ସୋରଡା ୭୫ ଓ ଶେରଗଡ ୮୩ଟି ଗ୍ରାମ ରହିଥିବାବେଳେ ବିଭିନ୍ନ ଏନ୍.ଏ.ସିରେ ବିଭିନ୍ନ ୱାର୍ଡ ରହିଥିବା ଜଣାଯାଇଛି ।
ଏ ନେଇ ଜିଲ୍ଲାପାଳ ବିଜୟ ଅମୃତା କୁଲାଙ୍ଗେ ଏଭଳି ଘୋଷଣା କରିଥିଲେ । ଗଞ୍ଜାମ ଜିଲ୍ଲାରେ ଜିଲ୍ଲା ପ୍ରଶାସନ ଗତ ୨୦୧୯ ମସିହା ଠାରୁ ବାଲ୍ୟ ବିବାହକୁ ଗଞ୍ଜାମ ଜିଲ୍ଲାରୁ ସମ୍ପୂର୍ଣ୍ଣ ଦୂରେଇବା ପାଇଁ ନିର୍ଭୟ କଢି ଯୋଜନା ଆରମ୍ଭ କରାଯାଇଛି । ଏହି ଯୋଜନା ଆଧାରରେ ଗଞ୍ଜାମ ଜିଲ୍ଲାର ସମସ୍ତ ଗ୍ରାମ ଏବଂ ସହରାଞ୍ଚଳରେ ମାସର 3ୟ ଶନିବାର ଦିନ କିଶୋରୀ ବାଳିକାମାନଙ୍କୁ ସଚେତନ କରାଯାଉଛି । ନିର୍ଭୟ କଢି ଯୋଜନାର ସଫଳ ରୂପାୟନ ପାଇଁ ଜିଲ୍ଲା ସ୍ତରରୁ ଆରମ୍ଭ କରି ଗ୍ରାମାଞ୍ଚଳ ପର୍ଯ୍ୟନ୍ତ ଟାସ୍କ ଫୋର୍ସ କମିଟି ମଧ୍ୟ ଗଠନ କରାଯାଇଛି ।
ବ୍ରହ୍ମପୁରରୁ ସମୀର ଆଚାର୍ଯ୍ୟ, ଇଟିଭି ଭାରତ