ଗଜପତି: ତାତିଲେ ଅଙ୍ଗନବାଡି କର୍ମୀ ଓ ସହାୟିକା । ଚାକିରୀକୁ ସରକାରୀ ମାନ୍ୟତା ପ୍ରଦାନ କରାଯିବା ସହ କର୍ମୀ ମାନଙ୍କୁ ୧୯୦୦୦ ଟଙ୍କା ଏବଂ ସହାୟିକାଙ୍କୁ ୯୦୦୦ ଟଙ୍କା ବେତନ ପ୍ରଦାନ କରିବା ଦାବିରେ ଅଙ୍ଗନବାଡି କର୍ମୀଙ୍କ ଆନ୍ଦୋଳନ।
ବିଭିନ୍ନ ଦାବି ନେଇ ଆନ୍ଦୋଳନ କରିଥିଲା ଅଙ୍ଗନବାଡ଼ି କର୍ମୀ । ସେଥିମଧ୍ୟରୁ କର୍ମୀଙ୍କୁ ସୁପରଭାଇଜର ପଦୋନ୍ନତି ଦେବା, ଗ୍ରୀଷ୍ମ ଛୁଟି ଏକ ମାସ ପ୍ରଦାନ କରିବା ଏବଂ କାର୍ଯ୍ୟରତ ଅବସ୍ଥାରେ ଦୁର୍ଘଟଣା ଜନିତ ମୁତ୍ୟୁ ପାଇଁ ୫ଲକ୍ଷ ଏବଂ ସାଧାରଣ ମୃତ୍ୟୁ ପାଇଁ ୨ଲକ୍ଷ ଟଙ୍କା ପ୍ରଦାନ କରିବା ଆଦି ୧୪ଦଫା ଦାବି ନେଇ ଅଙ୍ଗନବାଡି କର୍ମୀ ଓ ସହାୟିକା ସଂଘ ପକ୍ଷରୁ ଜିଲ୍ଲାପାଳଙ୍କ କାର୍ଯାଳୟ ଘେରାଉ କରାଯାଇଥିଲା।
କେବଳ ଏତିକି ନୁହେଁ ଦାବି ପୂରଣ ପାଇଁ ରାଜ୍ୟପାଳଙ୍କ ଉଦ୍ଦେଶ୍ୟରେ ୨ଟି ସ୍ମାରକପତ୍ର ପ୍ରଦାନ କରାଯାଇଛି। ସଂଘର କର୍ମୀ ମଙ୍ଗଳବାର ଏକ ବିରାଟ ଶୋଭାଯାତ୍ରାରେ ଆସି ବିକ୍ଷୋଭ ପ୍ରଦର୍ଶନ କରିଥିଲେ। ଅଙ୍ଗନବାଡ଼ି କର୍ମୀ ଓ ସହାୟିକା ଗାଁରେ ରହି ବିଭିନ୍ନ ସରକାରୀ ଯୋଜନାକୁ ଲୋକଙ୍କ ନିକଟତର କରୁଛନ୍ତି।
ମାତ୍ର ସେମାନଙ୍କ ସୁରକ୍ଷା କଥା କିନ୍ତୁ ସରକାର ଭୁଲିଯାଇଛନ୍ତି। ସେମାନଙ୍କ ସମସ୍ୟା ସମ୍ପର୍କରେ ବାରମ୍ବାର କହିଲେ ସୁଦ୍ଧା ସରକାର ଦୃଷ୍ଟି ଆକର୍ଷଣ କରୁନଥିବା ଦୁର୍ଭାଗ୍ୟଜନକ ବୋଲି ଅଙ୍ଗନବାଡ଼ି କର୍ମୀ କହିଛନ୍ତି। ତେଣୁ ଏଥିପ୍ରତି ତୁରନ୍ତ ଦୃଷ୍ଟି ନ ଦିଆଗଲେ ଆଗାମୀ ଦିନରେ ରାଜରାସ୍ତାକୁ ଓହ୍ଲାଇବେ ବୋଲି ସେମାନେ ଚେତାବନୀ ଦେଇଛନ୍ତି।
ଗଜପତିରୁ ହରିହର ପଟ୍ଟନାୟକ, ଇଟିଭି ଭାରତ