ଢେଙ୍କାନାଳ: ସ୍ବାସ୍ଥ୍ୟ ସେବାର ନଗ୍ନ ଚିତ୍ର । ଡାକ୍ତରଖାନା ଶୌଚାଳୟରେ ପ୍ରସବ କଲେ ପ୍ରସୂତି । ଏଭଳି ଏକ ଘଟଣା ଦେଖିବାକୁ ମିଳିଛି ଢେଙ୍କାନାଳ ଓଡାପଡା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ । ସୂଚନା ଅନୁସାରେ,ଢେଙ୍କାନାଳ ଜିଲ୍ଲା ମୋଟଙ୍ଗା ଥାନା ଅନ୍ତର୍ଗତ ବୁଢାପଙ୍କ ଗାଁର ଦୁଷ୍ମନ୍ତ ନାଏକଙ୍କ ପତ୍ନୀ ଶୈଳ ନାଏକ । ଆଜି ଭୋର ସମୟରେ ତାଙ୍କର ପ୍ରସବ ଯନ୍ତ୍ରଣା ହୋଇଥିଲା । ଫଳରେ ସ୍ବାମୀ ଦୁଷ୍ମନ୍ତ ଜନନୀ ଏକ୍ସପ୍ରେସରେ ସକାଳ ପ୍ରାୟ ୭ଟା ସମୟରେ ଓଡାପଡା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରକୁ ଆଣିଥିଲେ ।
ସେଠାରେ କୌଣସି ଡାକ୍ତର କିମ୍ବା ଷ୍ଟାଫନର୍ସ ନ ଥିବା ବେଳେ ପ୍ରସୂତି ଓ ମହିଳା ବିଭାଗ ରୁମ ମଧ୍ୟ ତାଲା ପଡିଥିବା ଦେଖିବାକୁ ମିଳିଥିଲେ । ମାତ୍ର ଶୈଳଙ୍କର ପ୍ରସୂତି ଯନ୍ତ୍ରଣା ବଢିବାରୁ ସେ ଡାକ୍ତରଖାନା ଶୌଚାଳୟକୁ ଯାଇଥିଲେ । ପ୍ରସବ ବେଦନା ବଢିବାରୁ ଉପସ୍ଥିତ ଥିବା ଜଣେ ସୁଇପରଙ୍କ ସହାୟତାରେ ଶୈଳ ଏକ ପୁତ୍ର ସନ୍ତାନ ଜନ୍ମ ଦେଇଥିଲେ ।
ସ୍ବାମୀ ଦୁଷ୍ମନ୍ତ ଏଠାରେ ତାଲା ପଡିଥିବା ଦେଖି ଡାକ୍ତରଙ୍କ ସହିତ ଫୋନଯୋଗେ ଯୋଗାଯୋଗ କରିବାକୁ ଚେଷ୍ଟା କରିଥିଲେ ମଧ୍ୟ ବିଫଳ ହୋଇଥିଲେ । ତେବେ ଶୈଳ ଓ ତାଙ୍କ ନବଜାତକ ସୁସ୍ଥ ଥିବା ଜଣାପଡିଛି । ତେବେ ଏହି ଘଟଣା ପ୍ରଘଟ ଭୟରେ ଡାକ୍ତରଖାନା କର୍ମଚାରୀମାନେ ପହଞ୍ଚି ଉଭୟ ମହିଳା ଓ ନବଜାତକକୁ ନେଇ ପ୍ରସୂତି ରୁମରେ ରଖିଥିବା ଜଣାପଡିଛି ।
ଢେଙ୍କାନାଳରୁ ଉର୍ମିଳା ପାତ୍ର, ଇଟିଭି ଭାରତ