ଢେଙ୍କାନାଳ: ଟାଟା ଷ୍ଟିଲ ମେରାମୁଣ୍ଡଳିରେ ଘଟିଥିବା ବିସ୍ପୋରଣକୁ ନେଇ ଗତକାଲି ପ୍ରାଥମିକ ପର୍ଯ୍ୟାୟରେ ଚାପା ଉତ୍ତେଜନା ପରେ ଆଜି ପରିସ୍ଥିତି ସ୍ୱାଭାବିକ ରହିଛି । ଦୁର୍ଘଟଣା ସ୍ଥଳ କୁହାଯାଉଥିବା ବ୍ଲାଷ୍ଟ ଫରନେସ ପାୱାର ପ୍ଲାଣ୍ଟ-୨ରେ କାର୍ଯ୍ୟ ବନ୍ଦ କରାଯାଇ ଚାରିପଟୁ ସିଲ୍ କରାଯାଇଛି । କୌଣସି ପ୍ରକାର ଅପ୍ରୀତିକର ପରିସ୍ଥିତି ଆଶଙ୍କାରେ ପୋଲିସ ପକ୍ଷରୁ କାରଖାନାରେ ଦୁଇ ପ୍ଲାଟୁନ ଫୋର୍ସ ମୁତୟନ କରାଯାଇଛି । ଶ୍ରମିକ ଆନ୍ଦୋଳନକୁ ଆଶଙ୍କା କରାଯାଇ କଡା ନଜର ରଖିଛି ଜିଲ୍ଲା ପ୍ରଶାସନ । ଅନ୍ୟପଟେ ଦୁର୍ଘଟଣାରେ ୧୯ ଜଣ ଗୁରୁତରଙ୍କ କଟକର ଏକ ଘରୋଇ ଡାକ୍ତରଖାନାରେ ଚିକିତ୍ସା ଜାରି ରହିଛି । ସେମାନଙ୍କ ମଧ୍ୟରୁ ଜଣଙ୍କ ସ୍ବାସ୍ଥ୍ୟାବସ୍ଥା ଅତି ସଂକଟାପନ୍ନ ଥିବା ବେଳେ ତିନି ଜଣ ଗୁରୁତର ଅଛନ୍ତି । ଅନ୍ୟ ଆହତଙ୍କ ସ୍ବାସ୍ଥ୍ୟାବସ୍ଥା ସ୍ଥିର ଥିବା ସୂଚନା ମିଳିଛି ।
ଅପରପକ୍ଷରେ କାହିଁକି ଓ କେଉଁ ପରିସ୍ଥିତିରେ ଏହି ଅଘଟଣ ଘଟିଲା ଏଥିପାଇଁ କାରଖାନାର ଏକ ଆଭ୍ୟନ୍ତରୀଣ ଯାଞ୍ଚ ଟିମ ଯାଞ୍ଚ ଆରମ୍ଭ କରିଥିବାବେଳେ ଫ୍ୟାକ୍ଟ୍ରି ଅଣ୍ଡ ବଏଲରର୍ସ ବିଭାଗ ପକ୍ଷରୁ ତଦନ୍ତ ଆରମ୍ଭ କରାଯାଇଛି । ସେପଟେ ଗୁରୁତର ୧୯ ଜଣଙ୍କୁ କଟକର ଏକ ଘରୋଇ ଡାକ୍ତର ଖାନାରେ ଚିକିତ୍ସା ଜାରି ରହିଛି । ତେବେ ଡାକ୍ତର ଖାନା ସୂତ୍ରରୁ ମିଳିଥିବା ସୂଚନା ମୁତାବକ, ସମସ୍ତ ଗୁରୁତର ଗରମ ବାଷ୍ପ ଜନିତ ପୋଡି ହୋଇଥିବା ବେଳେ ସେମାନଙ୍କ ମଧ୍ୟରୁ ଦୁଇଜଣଙ୍କର ଫ୍ୟାକ୍ଚର ହୋଇଥିବା ଜଣାପଡିଛି । କେନ୍ଦ୍ରାପଡ଼ାର ଜଗବନ୍ଧୁ ସ୍ୱାଇଁ ନାମକ ଜଣେ ଶ୍ରମିକଙ୍କର ଅବସ୍ଥା ଅତି ସଙ୍କଟାପନ୍ନ ଥିବାରୁ ତାଙ୍କୁ ଆଇଆଇୟୁରେ ଭର୍ତ୍ତି କରାଯାଇଛି । ତାଙ୍କ ଶରୀର ଶତକଡା ୯୦ ପ୍ରତିଶତ ପୋଡ଼ି ଯାଇଛି । ତେବେ ୪ ଜଣ ଅତି ଗୁରୁତର ଥିବାବେଳେ ଅନ୍ୟ ମାନଙ୍କ ସ୍ୱାସ୍ଥ୍ୟାବସ୍ଥା ସ୍ଥିର ରହିଛି । ମାତ୍ର ଗୁରୁତରଙ୍କ ଶରୀରରୁ ସେପରି କିଛି ରାସାୟନିକ ଗନ୍ଧ ନଥିବା ସ୍ପଷ୍ଟ କରାଯାଇଛି । ଫଳରେ ଏହି ଦୁର୍ଘଟଣାରେ କାରାଖାନାରୁ ବିଷାକ୍ତ ଗ୍ୟାସ ଲିକ ଆଶଙ୍କା କଥା ଟଳି ଯାଇଛି । ଏହି ଅଘଟଣର ସଠିକ କାରଣ କଣ ତାହା ତଦନ୍ତ ପରେ ହିଁ ଜଣାପଡିବ ।
ପ୍ରକାଶ ଥାଉକି, ମଙ୍ଗଳବାର ଅପରାହ୍ନ ପ୍ରାୟ ୧.୩୦ ସମୟରେ ବ୍ଲାଷ୍ଟ ଫରନେସ ପାୱାର ପ୍ଲାଣ୍ଟ-୨ ଅଞ୍ଚଳରେ ଷ୍ଟିମ୍ ପାଇପ ଲାଇନ ଲିକେଜ ଯୋଗୁଁ ଯାଞ୍ଚ ବା ମରାମତି ବେଳେ ଏହି ଅଘଟଣ ଘଟିଥିଲା । ଘଟଣାସ୍ଥଳରେ ପ୍ରାୟ କର୍ମଚାରୀ ଓ ଶ୍ରମିକ ମିଶି ୨୦ ଜଣ ଥିଲେ । ସେମାନଙ୍କ ମଧ୍ୟରୁ ୧୯ ଜଣ ଗୁରୁତରଙ୍କୁ ତୁରନ୍ତ କାରଖାନା ପକ୍ଷରୁ କଟକର ଏକ ଘରୋଇ ଡାକ୍ତରଖାନାରେ ଭର୍ତ୍ତି କରାଯାଇ ଚିକିତ୍ସା ଜାରି ରହିିଛି ।
ଇଟିଭି ଭାରତ, ଢେଙ୍କାନାଳ