ଢେଙ୍କାନାଳ: ଟାଟା ପାୱାର କର୍ତ୍ତୃପକ୍ଷଙ୍କ ଅବହେଳାରୁ ଚାଲିଗଲା ଜଣଙ୍କ ଜୀବନ । ୧୧କେଭି ବିଦ୍ୟୁତ ଖୁଣ୍ଟରେ ଚଢି କାମ କରୁଥିବାବେଳେ ବିଦ୍ୟୁତ ସଂସ୍ପର୍ଶରେ ଆସି ଜଣେ ଲାଇନମ୍ୟାନଙ୍କ ମୃତ୍ୟୁ ଘଟିଛି । ଯାହାକୁ ନେଇ ଢେଙ୍କାନାଳ ମୁଖ୍ୟ ଡାକ୍ତରଖାନାରେ ତୀବ୍ର ଉତ୍ତେଜନା ପ୍ରକାଶ ପାଇଛି ।
ସୂଚନା ମୁତାବକ, ମୃତକ ଜଣଙ୍କ ଢେଙ୍କାନାଳ ସଦର ଥାନା ଅନ୍ତର୍ଗତ ସଦାଶିବପୁର ଗ୍ରାମର ସୁବାଷ ତ୍ରିପାଠୀ । ସୁବାଷ ଟାଟା ପାୱାର କମ୍ପାନୀରେ ଲାଇନମ୍ୟାନ ଭାବେ କାମ କରନ୍ତି । ଶନିବାର ସୁବାଷ ନରସିଂହପୁର ଠାରେ ୧୧କେଭି ବିଦ୍ୟୁତ୍ ଖୁଣ୍ଟରେ ଚଢି କାମ କରୁଥିଲେ ।
ମାତ୍ର ଖାମଖିଆଲି ଭାବେ ବିଦ୍ୟୁତ ଲାଇନ ଚାର୍ଜ କରିଦିଆଯିବାରୁ ସେ ବିଦ୍ୟୁତ ସଂସ୍ପର୍ଶରେ ଆସି ଗୁରୁତର ଆହତ ହୋଇଥିଲେ । ତାଙ୍କୁ ଚିକିତ୍ସାପାଇଁ ଢେଙ୍କାନାଳ ମୁଖ୍ୟ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା । ମାତ୍ର ମେଡିକାଲ ପହଞ୍ଚିବା ପୂର୍ବରୁ ତାଙ୍କର ମୃତ୍ୟୁ ଘଟିଥିଲା ।
ଏହି ଘଟଣାକୁ ନେଇ ସଦାଶିବପୁର ଗ୍ରାମବାସୀ ମେଡିକାଲରେ ପହଞ୍ଚି ହୋହାଲ୍ଲା କରିଥିଲେ । ତାଙ୍କ ମୃତ୍ୟୁ ପାଇଁ ବିଭାଗକୁ ଦାୟୀ କରିବା ସହ ପରିବାରକୁ ଥଇଥାନ ଓ ୫୦ ଲକ୍ଷ ଟଙ୍କା କ୍ଷତିପୂରଣ ଦାବିରେ ଅଡି ବସିଛନ୍ତି । ଏହାସହ ଦାବି ନମାନିଲେ ଆଗାମୀ ସମୟରେ ଆନ୍ଦୋଳନ ଭୟାବହ କରିବାକୁ ଚେତାବନୀ ଦେଇଛନ୍ତି ସଦାଶିବପୁର ଗ୍ରାମବାସୀ ।
ଏପଟେ ଟାଉନ ପୋଲିସ ପହଞ୍ଚି ବୁଝାସୁଝା କରିଥିବାରୁ ଉତ୍ତେଜନା ଥମିଥିବା ଜଣାପଡ଼ିଛି । ପୋଲିସ ମୃତଦେହ ଉଦ୍ଧାର କରି ଘଟଣାର ତଦନ୍ତ ଆରମ୍ଭ କରିଛି ।
ଢେଙ୍କାନାଳରୁ ଉର୍ମିଳା ପାତ୍ର, ଇଟିଭି ଭାରତ