ଦେବଗଡ଼: ବୁଢ଼ାପାଳ ବିଦ୍ୟୁତ ସେକ୍ସନରେ ବିଦ୍ୟୁତ ବିଭ୍ରାଟ । ଦେବଗଡ଼ ଜିଲ୍ଲା ରିଆମାଳ ବ୍ଲକ ବୁଢ଼ାପାଳ ବିଦ୍ୟୁତ ସେକ୍ସନରେ ଦେଖାଦେଇଛି ବିଦ୍ୟୁତ ବିଭ୍ରାଟ । ଫଳରେ ଏହି ସେକ୍ସନ ଅଧିନସ୍ଥ 10ଟି ପଞ୍ଚାୟତବାସୀ 2 ଦିନ ହେଲା ଅନ୍ଧାରରେ ଦିନ କାଟୁଛନ୍ତି ।
ସୂଚନାଅନୁଯାୟୀ, ବୁଢ଼ାପାଳ ବିଦ୍ୟୁତ ସେକ୍ସନରେ ଯାନ୍ତ୍ରିକ ତ୍ରୁଟି ଯୋଗୁଁ ବିଦ୍ୟୁତ ବିଭ୍ରାଟ ଦେଖାଦେଇଛି । ଫଳରେ ଏହି ସେକ୍ସନ ଅଧିନସ୍ଥ ବୁଢ଼ାପାଳ, ଚଡେଇମରା, ଆଉଳି, କୁଣ୍ଢେଇଗୋଲା, ପରା, କରଲଗା, ପଳସମା, ଉଟୁନିଆଁ, ବାଘବର, ଓ ନୂଆପଡା ଆଦି 10ଟି ପଞ୍ଚାୟତବାସୀ 2 ଦିନ ହେଲା ଅନ୍ଧାରରେ ଦିନ କାଟୁଛନ୍ତି । ଜିଲ୍ଲାରେ ପ୍ରବଳ ଗ୍ରୀଷ୍ମ ପ୍ରବାହ ଲାଗିରହିଥିବା ବେଳେ, ବିଦ୍ୟୁତ ନଥିବାରୁ ଅସହ୍ୟ ଗୁଳୁଗୁଳି ଓ ଗରମରେ ଲୋକେ ନର୍କ ଯନ୍ତ୍ରଣା ଭୋଗୁଛନ୍ତି ।
ସେପଟେ ସମଗ୍ର ଅଞ୍ଚଳରେ ବିଦ୍ୟୁତ ନଥିବା ଯୋଗୁଁ ସମସ୍ତ ଜଳଯୋଗାଣ ପ୍ରକଳ୍ପ 2 ଦିନ ହେଲା ଠପ ହୋଇ ପଡିରହିଛି । ଫଳରେ ଲୋକେ ପାନୀୟ ଜଳ ମୁନ୍ଦାଏ ପାଇଁ ନାହିଁଥିବା ସମସ୍ୟାର ସମ୍ମୁଖୀନ ହେଉଛନ୍ତି ।
ବିଦ୍ୟୁତ ବିଭାଗ କତ୍ତୃପକ୍ଷଙ୍କ ଚରମ ଅବହେଳା କାରଣରୁ ବୁଢ଼ାପାଳ ସେକ୍ସନରେ ବାରମ୍ବାର ବିଦ୍ୟୁତ ବିଭ୍ରାଟ ଦେଖାଦେଉଥିବା ଅଞ୍ଚଳବାସୀ ଅଭିଯୋଗ କରିଛନ୍ତି । ଏନେଇ ସମସ୍ୟାର ସ୍ଥାୟୀ ସମାଧାନ କରିବାକୁ ଅଞ୍ଚଳବାସୀ ଦାବି କରିଛନ୍ତି ।
ଦେବଗଡ଼ରୁ ସରୋଜ କୁମାର ଶତପଥି, ଇଟିଭି ଭାରତ