ଦେବଗଡ଼ : ବିପର୍ଯ୍ୟସ୍ତ ହୋଇପଡିଛି ସ୍ବାସ୍ଥ୍ୟସେବା । ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ସମେତ ଜିଲ୍ଲାର ବିଭିନ୍ନ ସ୍ବାସ୍ଥ୍ୟକେନ୍ଦ୍ରରେ ବହୁ ଡାକ୍ତର ଓ ବିଶେଷଜ୍ଞ ପଦବୀ ଦୀର୍ଘଦିନ ଧରି ଖାଲି ପଡିଛି । ଏଭଳି ପରିସ୍ଥିତିରେ ଏଠାରୁ ସାତଜଣ ଡାକ୍ତରଙ୍କୁ ଅନ୍ୟତ୍ର ବଦଳି କରାଯିବା ନେଇ ଜନସାଧାରଣରେ ତୀବ୍ର ଅସନ୍ତୋଷ ଦେଖାଦେଇଛି ।
ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ସମେତ ଜିଲ୍ଲାର ବାରକୋଟ, ଵଂପରଡ଼ା, ଛତାବର ଓ ତିଳେଇବଣି ଆଦି 4ଟି ସିଏଚସି ଓ 8ଟି ପିଏଚସିରେ ମୋଟ 106 ଜଣ ଡାକ୍ତର ଓ ବିଶେଷଜ୍ଞ ପଦବୀ ରହିଛି । ମାତ୍ର ବର୍ତ୍ତମାନ ଅଛନ୍ତି କେବଳ 41 ଜଣ ଡାକ୍ତର । ମୋଟ 65ଟି ଡାକ୍ତର ପଦବୀ ଆଜକୁ ଦୀର୍ଘ ସମୟ ହେଲା ଖାଲି ପଡିଛି । ସେହିପରି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ମୋଟ 55ଟି ଡାକ୍ତର ଓ ବିଶେଷଜ୍ଞ ପଦବୀ ରହିଥିବା ବେଳେ ଅଛନ୍ତି କେବଳ 28 ଜଣ । ତନ୍ମଧ୍ୟରୁ ଗତ କିଛିଦିନ ପୂର୍ବରୁ 7 ଜଣ ଡାକ୍ତରଙ୍କୁ ଏଠାରୁ ଅନ୍ୟତ୍ର ବଦଳି ପାଇଁ ସରକାରୀ ଆଦେଶ ଦେଇଥିବାବେଳେ 21 ଜଣ ଡାକ୍ତରଙ୍କୁ ନେଇ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ କିଭଳି ଚାଲିବ ? ସେନେଇ ପ୍ରଶ୍ନ ଉଠିଛି । ଜିଲ୍ଲାବାସୀ କିପରି ଉନ୍ନତ ମାନର ସ୍ବାସ୍ଥ୍ୟସେବା ପାଇବେ ? ତାହା ବଡ ପ୍ରଶ୍ନବାଚୀ ସୃଷ୍ଟି କରିଛି ।
ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ଉପରେ ଜିଲ୍ଲାବାସୀ ସମ୍ପୂର୍ଣ୍ଣ ନିର୍ଭରଶୀଳ । ମାତ୍ର ଏଠାରେ ଆବଶ୍ୟକ ଅନୁଯାୟୀ ଡାକ୍ତର ଓ ବିଶେଷଜ୍ଞ ନାହାଁନ୍ତି । ସୂଚନା ଅନୁଯାୟୀ ପାଥୋଲୋଜି, ଇଏନଣ୍ଟି, ଅସ୍ଥିଶଲ୍ୟ, ନିସ୍ତେଜକ ଓ ରେଡ଼ିଓଲୋଜିଷ୍ଟ ଭଳି ଅନେକ ଗୁରୁତ୍ବପୂର୍ଣ୍ଣ ପଦ ପଦବି ଦୀର୍ଘଦିନ ହେଲା ଖୋଲି ପଡିଛି । ଫଳରେ ଜିଲ୍ଲାବାସୀ ଚିକିତ୍ସା ପାଇଁ ସମ୍ବଲପୁର, ବୁର୍ଲା ଓ କଟକ ଯାଇ ଅଯଥା ଖର୍ଚ୍ଚାନ୍ତ ହୋଇ ଆସୁଛନ୍ତି । ଗରିବ ଶ୍ରେଣୀ ଲୋକେ ଚିକିତ୍ସା ପାଇଁ ଦୂରଦୂରାନ୍ତକୁ ଯାଇନପାରି ଭାଗ୍ୟକୁ ଆଦରି ପଡିରହୁଛନ୍ତି । ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରୁ ସାତଜଣ ଡାକ୍ତରଙ୍କ ବଦଳି ବାତିଲ କରାଯିବା ଓ ଖାଲି ପଡିଥିବା ପଦବି ପୂରଣ କରାନଗଲେ ଆଗାମୀ ଦିନରେ ଏନେଇ ବ୍ୟାପକ ଜନଆନ୍ଦୋଳନର ଆଶଙ୍କାକୁ ଏଡାଇ ଦିଆଯାଇ ନପାରେ ।
ଦେବଗଡ଼ରୁ ସରୋଜ ଶତପଥୀ, ଇଟିଭି ଭାରତ