ଦେବଗଡ଼: ବାରକୋଟ ଥାନା ଅନ୍ତର୍ଗତ ମର୍ହା ଗ୍ରାମ ନିକଟସ୍ଥ ତାଲବିଲା ଜଙ୍ଗଲ ରାସ୍ତାକଡରୁ ୫ ଜଣ ଶିକାରୀଙ୍କୁ ଗିରଫ କରିଛି ବାରକୋଟ ଥାନା ପୁଲିସ । ସେମାନଙ୍କ ନିକଟରୁ ଶିକାରରେ ବ୍ୟବହୃତ ବନ୍ଧୁକ,ଗୁଳି ଓ ଅନ୍ୟକିଛି ଆପତ୍ତିଜନକ ସାମଗ୍ରୀ ମଧ୍ୟ ଜବତ ହୋଇଛି । ଏ ସମ୍ପର୍କରେ ଆଜି ଦେବଗଡ଼ ଏସପି ରାଜକିଶୋର ପାଇକରାୟ ସୂଚନା ଦେଇଛନ୍ତି ।
ଗିରଫ ଅଭିଯୁକ୍ତମାନେ ହେଲେ ସ୍ଥାନୀୟ ଗ୍ରାମର ସହ ମର୍ହା ଗ୍ରାମର ସୁରେଶ ଶବର(୫୬), ରିଆମାଳ ଥାନା ଅନ୍ତର୍ଗତ ମଧ୍ୟପୁର ଗ୍ରାମର ହେମନ୍ତ କିସାନ(୪୦) ଓ ବେଣୁଧର କିସାନ(୩୨), ତେନ୍ତଲାବାହାଲ ଗ୍ରାମର ରେବତୀ ମୋହନ ମୁଣ୍ଡା(୩୪) ଓ ଭାଲିଆଡିହି ଗ୍ରାମର ଲୋକନାଥ(୫୦) ବୋଲି ଜଣାପଡିଛି । ସମସ୍ତ ଅଭିଯୁକ୍ତଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି ପୋଲିସ ।
ପୋଲିସ ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ, ଉକ୍ତ ଅଞ୍ଚଳରେ ବେଆଇନ ବନ୍ଧୁକ ଥିବା ବିଶ୍ବସ୍ଥ ସୂତ୍ରରୁ ଖବର ମିଳିଥିଲା । ଗତକାଲି ଉକ୍ତ ଅଞ୍ଚଳରେ ପୁଲିସ ପାଟ୍ରୋଲିଂ ସମୟରେ ମର୍ହା ଗ୍ରାମ ନିକଟସ୍ଥ ତାଲବିଲା ଜଙ୍ଗଲ ରାସ୍ତାକଡରେ ୫ ଜଣ ବ୍ୟକ୍ତି ସନ୍ଦେହଜନକ ଅବସ୍ଥାରେ ବୁଲୁଥିବା ଦେଖି ପୁଲିସ ସେମାନଙ୍କୁ ପଚରାଉଚୁରା କରିବା ସହ ଯାଞ୍ଚ କରିଥିଲା । ଯାଞ୍ଚ ସମୟରେ ସେମାନଙ୍କ ନିକଟରୁ ୩ଟି ଦେଶୀ ବନ୍ଧୁକ ସମେତ ୨ଟି ଜୀବନ୍ତ ବୋମା, ବୋମା ପ୍ରସ୍ତୁତ ସାମଗ୍ରୀ, ଧନୁତୀର, ହରିଣ ସିଙ୍ଗ, ହାତୀ କଳ ଦାନ୍ତ ଓ ୩୬୦ଟି ମୟୂର ପୁଚ୍ଛ ଜବତ କରିଥିଲା ପୋଲସ ।
ଅଭିଯୁକ୍ତମାନଙ୍କର କୌଣସି ଅସାମାଜିକ ସଂଗଠନ, ବେଆଇନ ଜନ୍ତୁ ଶିକାର ରାକେଟ କିମ୍ବା କୌଣସି ମାଓ ସଂଗଠନ ସହ ସମ୍ପୃକ୍ତି ରହିଥିବା ଆଶଙ୍କା କରି ଅଧିକ ତଦନ୍ତ ଜାରି ରହିଛି । ଅଭିଯୁକ୍ତ ସୁରେଶ ଶବର ନାମରେ ପୂର୍ବରୁ ବାରକୋଟ ଥାନା ୩ଟି ଓ ବାରକୋଟ ଫରେଷ୍ଟ ରେଞ୍ଜରେ ୨ଟି ଅପରାଧିକ ମାମଲା ରହିଥିବା ରାଜକିଶୋର ପାଇକରାୟ ସୂଚନା ଦେଇଛନ୍ତି ।
ଦେବଗଡ଼ରୁ ସରୋଜ ଶତପଥୀ, ଇଟିଭି ଭାରତ