କଟକ: ପୋଲିସ ଚେକିଂ ସମୟରେ ଘଟିଲା ଦୁର୍ଘଟଣା । ଏନେଇ ଦେଖାଦେଇଛି ଉତ୍ତେଜନା । ଏଭଳି ଘଟଣା ଦେଖିବାକୁ ମିଳିଛି କଟକ ଯୋବ୍ରା ଅଞ୍ଚଳରେ। ସୂଚନାନୁଯାୟୀ ବିକାଶ ସ୍ବାଇଁ ନାମକ ଜଣେ ଯୁବକ ତାଙ୍କ ସାଙ୍ଗଙ୍କ ସହ ବାଇକ ଯୋଗେ ଯାଉଥିବାବେଳେ ଯୋବ୍ରା ଅଞ୍ଚଳରେ ହେଲମେଟ ଚେକିଂ ହେଉଥିବା ଦେଖି ହଠାତ୍ ବ୍ରେକ ମାରିଥିଲେ। ଯାହାଫଳରେ ବାଇକରୁ ପଡ଼ି ଗୁରୁତର ଆହତ ହୋଇଥିଲେ ।
ପୋଲିସ ଘଟଣାସ୍ଥଳରେ ପହଞ୍ଚି ଆହତ ଯୁବକଙ୍କୁ କଟକ ବଡ଼ ମେଡ଼ିକାଲକୁ ପଠାଇଥିଲା । ତେବେ ପୋଲିସ, ହେଲମେଟ ଚେକିଂ ନାଁ ରେ ଯୁବକଙ୍କୁ ଆକ୍ରମଣ କରିଥିବା ଖବର ପ୍ରଚାର ହେବାରୁ ଲୋକଙ୍କ ମଧ୍ୟରେ ଅସନ୍ତୋଷ ଦେଖିବାକୁ ମିଳିଥିଲା । ଏମିତିକି ଉତ୍ତ୍ୟକ୍ତ ଲୋକେ ପୋଲିସକୁ ଗାଳିଗୁଲଜ କରିବାକୁ ବି ପଛାଇ ନଥିଲେ। ତେବେ ଥାନାଧିକାରୀ ଘଟଣାସ୍ଥଳରେ ପହଞ୍ଚି ଲୋକଙ୍କୁ ବୁଝାଇବାରୁ ପରିସ୍ଥିତି ନିୟନ୍ତ୍ରଣ ହୋଇଥିଲା ।
କଟକରୁ ନାରାୟଣ ସାହୁ, ଇଟିଭି ଭାରତ