ଖୋର୍ଦ୍ଧା/କଟକ: ରବିବାର ଅହମ୍ମଦାବାଦରେ ବିଶ୍ବକପ୍ କ୍ରିକେଟର ଫାଇନାଲ ମୁକାବିଲା । ବିଶ୍ବକପର ଏହି ମହାଲଢ଼େଇକୁ ନେଇ ଓଡ଼ିଶାରେ କ୍ରିକେଟ୍ ଫିଭର । ଟିମ ଇଣ୍ଡିଆକୁ ଶୁଭେଚ୍ଛା ଏବଂ ଶୁଭକାମନା ଜଣାଇବାକୁ ଯାଇ ଖୋର୍ଦ୍ଧା ଏବଂ କଟକରେ କ୍ରିକେଟ ପ୍ରେମୀଙ୍କ ମଧ୍ୟରେ ନାହିଁ ନଥିବା ଉତ୍ସାହ । ଖୋର୍ଦ୍ଧାରେ ଗଣଦୌଡ଼ ଅନୁଷ୍ଠିତ ହୋଇଥିବା ବେଳେ, କଟକରେ ଟିମ୍ ଇଣ୍ଡିଆର ବିଜୟ କାମନା କରି ହୋମଯଜ୍ଞ ଏବଂ ପୂଜାର୍ଚ୍ଚନା କରିଛନ୍ତି ପ୍ରଶଂସକ ।
ଖୋର୍ଦ୍ଧାରେ ଗଣଦୌଡ଼: ଟିମ୍ ଇଣ୍ଡିଆର ହାତ ପାହାନ୍ତାରେ ବିଶ୍ବକପ କ୍ରିକେଟ ଟ୍ରଫି । 12 ବର୍ଷ ପରେ ପୁଣି ଥରେ ବିଶ୍ବକପ ଫାଇନାଲରେ ପ୍ରବେଶ କରିଛି ମେନ୍ ଇନ୍ ବ୍ଲୁ । ଟୁର୍ଣ୍ଣାମେଣ୍ଟ ଆରମ୍ଭରୁ ଜବରଦସ୍ତ ଫର୍ମରେ ଥିବା ଭାରତୀୟ ଟିମ ଟୁର୍ଣ୍ଣାମେଣ୍ଟରେ ଅପରାଜେୟ ରହି ବିଶ୍ବକପ ଜିତିବାର ନିଆରା ରେକର୍ଡ ଆଶାରେ, ଆସନ୍ତାକାଲି(ରବିବାର) ମଇଦାନକୁ ଓହ୍ଲାଇବ ରୋହିତ ବାହିନୀ । ଏଥିପାଇଁ ସବୁଠି ଭାରତ ସପକ୍ଷରେ ଆରମ୍ଭ ହୋଇଛି ସେଲିବ୍ରେସନ । ଟିମ ଇଣ୍ଡିଆକୁ ଚିଅର ଅପ୍ କରିବା ପାଇଁ ସବୁଠି ଉତ୍ସାହର ମାହୋଲ । ଚଳିତ କ୍ରିକେଟ ବିଶ୍ଵକପ ଫାଇନାଲରେ ଭାରତ ସହ ଅଷ୍ଟ୍ରେଲିଆର ହେବ ମୁକାବିଲା । ଟାଇଟଲ୍ ଲଢ଼େଇରେ ଅହମଦାବାଦ ଷ୍ଟାଡିୟମରେ ଖେଳାଯିବ । ଏଥିପାଇଁ ଭାରତର କୋଣ ଅନୁକୋଣରୁ ଭାରତୀୟ କ୍ରିକେଟ ଟିମ ପ୍ରତି ଶୁଭେଚ୍ଛାର ସୁଅ ଛୁଟୁଛି । ଆଜି (ଶନିବାର) ଖୋର୍ଦ୍ଧା ଷ୍ଟାଡିୟମରେ ସ୍କୁଲ ଛାତ୍ରଛାତ୍ରୀ, କ୍ରିକେଟ ଖେଳାଳି ଏବଂ ପ୍ରଶଂସକମାନେ ମିଳିତ ଭାବେ ଟିମ୍ ଇଣ୍ଡିଆକୁ ଶୁଭେଚ୍ଛା ଜଣାଇଛନ୍ତି । "ଚକ୍ ଦେ ଇଣ୍ଡିଆ", "ଇଣ୍ଡିଆ ଜିତିବ" ନାରା ଦେବା ସହ ଗଣ ଦୌଡ଼ରେ ସାମିଲ ହୋଇଛନ୍ତି ।
ଏହାମଧ୍ୟ ପଢ଼ନ୍ତୁ: ବିଶ୍ବକପ୍ ଫାଇନାଲ: ମୁମ୍ବାଇରୁ ଅହମ୍ମଦାବାଦକୁ ଚାଲିବ ସ୍ବତନ୍ତ୍ର ଟ୍ରେନ୍
ଏହାମଧ୍ୟ ପଢ଼ନ୍ତୁ: ଅଷ୍ଟ୍ରେଲିଆକୁ ଶାମି ଭୟ, ଫାଇନାଲ ମ୍ୟାଚ ପୂର୍ବରୁ ଏମିତି କହିଲେ ପାଟ କମିନ୍ସ
କଟକରେ ହୋମଯଜ୍ଞ: କ୍ରିକେଟ ପ୍ରେମୀ ଏବଂ ପ୍ରଶଂସକମାନଙ୍କ ଉଦ୍ୟମରେ ହୋମଯଜ୍ଞ କରାଯାଇଛି । ଟିମ୍ ଇଣ୍ଡିଆର ବିଜୟ ପାଇଁ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ନିକଟରେ ଗୁହାରୀ କରିଛନ୍ତି ଟିମ ଇଣ୍ଡିଆର ପ୍ରଶଂସକ । ଟିମ୍ ଇଣ୍ଡିଆ ପାଇଁ ହରିବୋଲରେ କମ୍ପିଥିଲା ମନ୍ଦିର । ବ୍ୟାଟର ବିରାଟ କୋହଲି, ଅଧିନାୟକ ରୋହିତ ଶର୍ମା ଏବଂ ବୋଲିଂ ବାହିନୀ ଏହି ମ୍ୟାଚରେ ଜବରଦସ୍ତ ପ୍ରଦର୍ଶନ କରିବେ ବୋଲି ଆଶା ରଖିଛନ୍ତି କଟକର କ୍ରିକେଟ ପ୍ରେମୀ । ପ୍ରଶଂସକଙ୍କ ବିଶ୍ବାସ, ଭାରତ ହେଉଛି ଜଗନ୍ନାଥଙ୍କ ଦେଶ । ଆଉ ପ୍ରଭୁଙ୍କୁ ଜଣାଇବା ପରେ ନିଶ୍ଚୟ ଆମ ଦେଶକୁ ଫାଇନାଲରେ ଠାକୁର ଜିତାଇବେ ବୋଲି କହିଛନ୍ତି କଟକବାସୀ । ଆସନ୍ତାକାଲି(ରବିବାର)ର ଫାଇନାଲ ଫାଇଟ ରେଜଲ୍ଟକୁ ସାରା ବିଶ୍ବ ଅନାଇ ବସିଛି । ୨୦୨୩ ବିଶ୍ବକରେ ସବୁ ଦିଗରେ ଏଯାଏଁ ଶ୍ରେଷ୍ଠ ପ୍ରଦର୍ଶନ କରି ଆସିଥିବା ଟିମ୍ ଇଣ୍ଡିଆ।, ଚଳିତ ବିଶ୍ବକପରେ ଅପରାଜେୟ ରହିବା ସହ ତୃତୀୟ ବିଶ୍ବକପ୍ କ୍ରିକେଟ ବିଜୟୀ ହେବ ବୋଲି ଆଶା ରଖିଛନ୍ତି କଟକବାସୀ ।
ଇଟିଭି ଭାରତ, ଖୋର୍ଦ୍ଧା ଓ କଟକ