କଟକ: ସହରର ପ୍ରମୁଖ ସ୍ଥାନ ଗୁଡ଼ିକରେ ଜାଗା ଓ ଭେଣ୍ଡିଂ ଜୋନରେ ଦୋକାନ ଘର ଯୋଗାଇ ଦେଵା ନାଁରେ କୋଟିଏରୁ ଅଧିକ ଟଙ୍କାର ଠକେଇ ଅଭିଯୋଗ । ସିଡିଏ ଓ ସିଏମସିର ନକଲି କାଗଜପତ୍ର ଜରିଆରେ ଲୋକମାନଙ୍କ ମନରେ ଵିଶ୍ବାସ ଜନ୍ମାଇ ଵହୁ ଲୋକଙ୍କଠାରୁ ଟଙ୍କା ଠକି ନେଇଥିବା ଅଭିଯୋଗ ହୋଇଛି । ଏହାପରେ ମାଲଗୋଦାମ ଥାନା ପୋଲିସ ଜଣଙ୍କୁ ଗିରଫ କରିଥିବା ଜଣାପଡ଼ିଛି ।
କାଗଜପତ୍ର ଜାଲ କରିବା ସହ ସିଏମସି, ସିଡିଏର କିଛି ଅଧିକାରୀ ଓ ପ୍ରଭାଵଶାଳୀ ଲୋକଙ୍କ ନିକଟତର ଵୋଲି କହି ସମ୍ପୃକ୍ତ ଯୁଵକ ଟଙ୍କା ଠକି ନେଇଥିବା ଅଭିଯୋଗ ହୋଇଛି । କଟକ ସହରର ନୂଆ ଵସ ଟର୍ମିନାଲ, ଚଣ୍ଡୀ ମନ୍ଦିର ନିକଟ ଓ କଲେଜ ଛକ ଅଞ୍ଚଳରେ ମିଳିବ ଭେଣ୍ଡିଂ ଜୋନ ଦୋକାନ ଘର । ଏହା ସହ ସହରର ପ୍ରମୁଖ ସ୍ଥାନ ଗୁଡ଼ିକରେ ମିଳିବ ଜାଗା । ଏଥିପାଇଁ ଡୋର ଷ୍ଟେପରେ ମିଳୁଛି ସହାୟତା । ଲୋକଙ୍କ ମନରେ ଏଭଳି ଵିଶ୍ବାସ ଜନ୍ମାଇ କୋଟିଏ ଅଧିକ ଟଙ୍କାର ଠକେଇ ହୋଇଛି ।
ଏହା ବି ପଢନ୍ତୁ- Double Murder in Delhi: ସମ୍ପତ୍ତି ଲୋଭରେ ଶାଶୁ ଶ୍ବଶୁରଙ୍କୁ ହତ୍ୟା କଲା ବୋହୂ
ଏଭଳି ଠକାମିର ଅଭିଯୋଗ ଆସିଛି କଟକ ଶ୍ରୀଵିହାର କଲୋନୀର ଅମିତ ସାହୁଙ୍କ ଵିରୋଧରେ । ଲୋକଙ୍କ ମନରେ ଵିଶ୍ବାସ ଜନ୍ମାଇଵା ପାଇଁ ଅଗ୍ରୀମ ଆକାରରେ ଟଙ୍କା ନେଵା ପରେ ସିଏମସି ଓ ସିଡିଏର ନକଲି କାଗଜପତ୍ର ଓ ଟଙ୍କା ରସିଦ୍ ମଧ୍ୟ ଅମିତ ଲୋକଙ୍କୁ ଦେଇଥିବା ଅଭିଯୋଗ ହୋଇଛି । ଏପରିକି ସହରର ପ୍ରଭାଵଶାଳୀ ଲୋକ, ସିଏମସି ଓ ସିଡିଏ ଅଧିକାରୀଙ୍କ ନିକଟତର ଵୋଲି କହି ଲୋକଙ୍କ ମନରେ ଅମିତ ଵିଶ୍ବାସ ଜନ୍ମାଇଥିବା କୁହାଯାଉଛି । ଲୋକଙ୍କୁ କୋଟି କୋଟି ଟଙ୍କାର ଚୁନ ଲଗାଇ ଅମିତ ଫେରାର ହୋଇଯାଇଥିଲେ ।
ତେଵେ ଗତକାଲି କଲେଜ ଛକ ନିକଟ ସିଡିଏ ମାର୍କେଟ କମ୍ପ୍ଲେକ୍ସରେ ଅମିତକୁ ଦେଖି ଠକାମିର ଶିକାର ଵ୍ୟକ୍ତିମାନେ ତାକୁ କାଵୁ କରି ପୋଲିସ ଜିମା ଦେଇଛନ୍ତି । ଅମିତଙ୍କୁ ମାଲଗୋଦାମ ଥାନା ପୋଲିସ ଗିରଫ କରି ଅଧିକ ତଦନ୍ତ ଜାରି ରଖିଛି । କଟକ ନେତାଜୀ ବସ ଟର୍ମିନାଲ ବସଷ୍ଟାଣ୍ଡରେ ଦୋକାନ ଘର ଦେବାକୁ କହି ଲକ୍ଷାଧିକ ଟଙ୍କା ଠକେଇ କରିଥିଲା ସେ ।
ଲକ୍ଷାଧିକ ଟଙ୍କା ଠକି ଦୀର୍ଘ ଦିନ ଧରି ଫେରାର ହୋଇଯାଇଥିବାବେଳେ ଗତକାଲି କଲେଜ ଛକ ଅଞ୍ଚଳରୁ ସ୍ଥାନୀୟ ଲୋକେ କାଵୁ କରିଥିଲେ । ଅଭିଯୋଗ ଆଧାରରେ ବର୍ତ୍ତମାନ ସୁଦ୍ଧା ୧୪ ଲକ୍ଷ ଟଙ୍କା ଠକିଥିବା ଜଣାପଡ଼ିଥିବା ବେଳେ କୋଟିଏରୁ ଊର୍ଦ୍ଧ୍ବ ଟଙ୍କା ଏକାଧିକ ବ୍ୟକ୍ତିଙ୍କ ଠାରୁ ସେ ଠକି ନେଇଥିବା ଶୁଣିବାକୁ ମିଳୁଛି । ସେ ତୁଳସୀପୁର ଶ୍ରୀବିହାର କଲୋନୀ ଅଞ୍ଚଳର ହୋଇଥିବା ସ୍ପଷ୍ଟ କରିଛି ପୋଲିସ ।
ଇଟିଭି ଭାରତ, କଟକ